ଡାକ୍ତରଖାନା ଛାତରୁ ଝରୁଛି ବର୍ଷା ପାଣି, ରୋଗୀ ହନ୍ତସନ୍ତ

ସଇଁନ୍ତଲା,ଏନ୍ଏନ୍ଏସ୍: ରାଜ୍ୟବାସୀ କିଭଳି ଭାବେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ ସେନେଇ ରାଜ୍ୟ ସରକାର କୋଟି କୋଟି ଟଙ୍କା ପ୍ରତ୍ୟେକ ବର୍ଷ ଖର୍ଚ୍ଚ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ଥିବା ମୁଖ୍ୟ ଡାକ୍ତରଖାନା ଛାତରୁ ପାଣି ଝରୁଛି। ଫଳରେ ଡାକ୍ତରଖାନାକୁ ଆସୁଥିବା ରୋଗୀ ମାନେ ହନ୍ତସନ୍ତ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି। ୨୨ଟି ପଞ୍ଚାୟତର ହଜାର ହଜାର ଲୋକେ ଏହି ମୁଖ୍ୟ ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି।

ଲଗାତାର ବର୍ଷା ଯୋଗୁଁ ଛାତରୁ ପାଣି ଝରୁ ଥିବା ବେଳେ ପ୍ରତ୍ୟେକ ବିଭାଗରେ ପାଣି ଝରୁଛି। ସେହିପରି ବର୍ଷା ଯୋଗୁଁ ହସ୍ପିଟାଲ ତଳେ କାଦୁଅ ହୋଇଛି। ଫଳରେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।