ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବନହରପାଲି ଇବ ଥର୍ମାଲସ୍ଥିତ ଓଡ଼ିଶା ତାପଜ ବିଦ୍ୟୁତ ଉତ୍ପାଦନ ନିଗମ(ଓପିଜିସି)ଠାରୁ ଓସିପିଏଲଏସ ମନୋହରପୁର କୋଇଲ ଖଣି ପର୍ଯ୍ୟନ୍ତ ସଫଳ ଭାବରେ ରେଳ ଇଞ୍ଜିନ ଚଳାଚଳ ହୋଇଥିବା ଓପିଜିସି କର୍ତୃପକ୍ଷ ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ବୁଧବାର ୮ଟା ୩୦ ମିନିଟରେ ଓପିଜିସି ଇବ ଥର୍ମାଲ ପରିସରରେ ଥିବା ଏମଜିଆର ସାଇଡରେ ଓପିଜିସିର ନିଜସ୍ୱ ରେଳ ଇଞ୍ଜିିନକୁ ରୀତିନୀତି ଭାବରେ ପୂଜାପାଠ କରିବା ପରେ ଓସିପିଏଲଏସ ମନୋହରପୁର କୋଇଲା ଖଣି ଅଭିମୁଖେ ଗଡ଼ିବାକୁ ଡାଇରେକ୍ଟର ଅପରେସନ ମାନସ ରଞ୍ଜନ ରାଉତ ସବୁଜ ପତକା ଦେଖାଇଥିଲେ। ଦୀର୍ଘ ୪୭.୨୮ କିଲୋମିଟର ପର୍ଯ୍ୟନ୍ତ ରହିଥିବା ଏହି ରେଳପଥଟି ହାୱଡ଼ା ମୁମ୍ବାଇ ରେଳପଥ, ଏନଟିପିସି ରେଳପଥ ଏନ୍ଏଚ୍ ୪୯ର ଉପର ଦେଇ ଗୋଟିଏ ଲେଖାଏଁ ଓଭରବ୍ରିଜ ସହିତ ସମୁଦାୟ ୧୨୩ଟି ବ୍ରିଜ ଅତିକ୍ରମ କରି ନିଜର ଲକ୍ଷ୍ୟସ୍ଥଳୀକୁ ପହଂଚିଥିଲା। ଏହି ଅବସରରେ ଡାଇରେକ୍ଟର ଅପରେସନ ଶ୍ରୀ ରାଉତଙ୍କ ସମେତ ପ୍ରୋଜେକ୍ଟ ମୁଖ୍ୟ ସରୋଜ କୁମାର ସାହୁ, ପ୍ଲାଣ୍ଟ ମ୍ୟାନେଜର ଓପିଜିସି-୨ର ସୁକାନ୍ତ ମହାପାତ୍ର, ଏମଜିଆର ମୁଖ୍ୟ ପି. କୁରେଶୀ ପାତ୍ର, ଶିଶିର କୁମାର ରାଉତଙ୍କ ଏମଜିଆରର ବରିଷ୍ଠ ଯନ୍ତ୍ରୀଗଣ ଓ ଆରଆଇଟିଇଏସ ଏବଂ ରେଳ ଲାଇନ ନିର୍ମାଣକାରୀ ସଂସ୍ଥା ଏଲ ଆଣ୍ଡ ଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ।