ବାଗଡ଼ିହିରେ ରେଳରୋକ ଚେତାବନୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବାଗଡ଼ିହି ରେଳ ଷ୍ଟେସନଠାରେ ସାଉଥ ବିହାର ଫେଷ୍ଟିଭାଲ ସ୍ପେଶାଲ ଏକ୍ସପ୍ରେସ ଟ୍ରେନର ରହଣୀ ଲାଗି ଅନୁମତି ପ୍ରଦାନ କରାନଗଲେ ରେଳରୋକ କରାଯିବ ବୋଲି ବାଗଡ଼ିହି ରେଳ ନାଗରିକ କମିଟି ଚେତାବନୀ ଦେଇଛି। ଡିସେମ୍ବର ୧୮ ତାରିଖ ମଧ୍ୟରେ ଦାବି ପୂରଣ ନହେଲେ ଆସନ୍ତା ୨୧ ତାରିଖ ସକାଳ ୮ଟାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ରେଳରୋକ କରାଯିବ ବୋଲି ନାଗରିକ କମିଟି ପକ୍ଷରୁ ଚକ୍ରଧରପୁର ରେଳ ଡିଭିଜନର ଡିଆରଏମଙ୍କୁ ଏକ ପତ୍ର ଲେଖାଯାଇଛି। ରେଳରୋକ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ରେଳ ବିଭାଗ କର୍ତୃପକ୍ଷ ଦାୟୀ ରହିବେ ବୋଲି କମିଟିର ସଦସ୍ୟମାନେ କହିଛନ୍ତି।

ପ୍ରକାଶଯୋଗ୍ୟ, ଗତ ନଭେମ୍ବର ୩୦ ତାରିଖରେ କମିଟି ପକ୍ଷରୁ ଡିଆରଏମଙ୍କୁ ଏ ସଂକ୍ରାନ୍ତରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ଡିଆରଏମଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ନ ମିଳିବାରୁ ରେଳରୋକ ପାଇଁ ନିଷ୍ପତ୍ତିି ନିଆଯାଇଥିବା କମିଟି ପକ୍ଷରୁ କୁହାଯାଇଛି।