ଧର୍ମାନୁଷ୍ଠାନ ଖୋଲିବା ନେଇ ଦାବି କଲା ଯୁବ ବିଜେଡ଼ି

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଜିଲ୍ଲାର ଧର୍ମପୀଠ, ମନ୍ଦିର, ମସଜିଦ୍, ଚର୍ଚ୍ଚ, କଲ୍ୟାଣମଣ୍ଡପ ଓ ଗାନ୍ଧୀପାର୍କ ଖୋଲିବା ଦାବିରେ ଆଜି ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି। ଜିଲ୍ଲାର ପ୍ରମୁଖ ମନ୍ଦିର ମା’ ମଝିଘରିଆଣୀଙ୍କ ମନ୍ଦିର ମାର୍ଚ୍ଚ ୨୫ ତାରିଖରୁ ବନ୍ଦ ରହିଥିବାବେଳେ ପରବର୍ତ୍ତୀ ସମୟରେ କରୋନା ଉଗ୍ର ରୂପ ଧାରଣ କରିବାପରେ ପାର୍କ, କଲ୍ୟାଣମଣ୍ଡପ ବନ୍ଦ ରହିଛି। ଫଳରେ ଠାକୁରଙ୍କ ଦର୍ଶନ ସହିତ ଆମୋଦ ପ୍ରମୋଦ ଓ ବିବାହ ଭୋଜି କାର୍ଯ୍ୟରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟ ସରକାର ପୁରୀ ଜଗନ୍ନାଥ ମନ୍ଦିର ଖୋଲିବା ନେଇ ସବୁଜ ସଙ୍କେତ ଦେବାପରେ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଉପରେ ମନ୍ଦିର, ଧର୍ମାନୁଷ୍ଠାନ ଖୋଲିବା ନେଇ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ।

ଜିଲ୍ଲା ପୁଲିସ୍-ପ୍ରଶାସନ-ସ୍ୱାସ୍ଥ୍ୟ ବିଭାଗର ଉଦ୍ୟମକ୍ରମେ ରାୟଗଡ଼ା କରୋନା ମୁକାବିଲାରେ ସଫଳ ହେବା ସହିତ ସଂକ୍ରମଣ ଶୂନ୍ୟ ହୋଇଛି। ଏଣୁ ଆଗାମୀ ଦିନରେ ମନ୍ଦିର ଖୋଲିବା ଦିଗରେ ପଦକ୍ଷେପ ନେବାକୁ ବିଜୁ ଯୁବ ଜନତା ଦଳ ସଭାପତି ଦେବାଶିଷ ଖାଡ଼ଙ୍ଗା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସେହିପରି ସହରର କେନ୍ଦ୍ରସ୍ଥଳୀରେ ଥିବା ଗାନ୍ଧୀପାର୍କକୁ ଖୋଲିବା ପାଇଁ ମଧ୍ୟ ଦାବି ହୋଇଛି। ଯୁବ ବିଜେଡ଼ି ଉପସଭାପତି ଜଗନ୍ନାଥ ଦୋରା, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ପି. ସାଇ ପ୍ରସାଦ, ଦିଲ୍ଲୀପ କୁମାର ସାହୁ, କେ. ଶ୍ରୀନିବାସ, ଆଇଟି ସେଲ୍ ସଂଯୋଜକ ଅଭିଜିତ୍ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।