ଆନ୍ତଃରାଜ୍ୟ ଜୁଆ ଆଡ୍ଡାରେ ଚଢ଼ଉ, ୧୯ ଗିରଫ

୫ ମୋଟର ସାଇକେଲ, ୧୯ ମୋବାଇଲ, ୬୦ ହଜାର ୧୦ ଟଙ୍କା ଏବଂ ୩ ପ୍ୟାକେଟ ତାସ ଜବତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଜିଲ୍ଲା ସୀମାନ୍ତ କନକତୋରା ଗ୍ରାମର ଏକ କୁକୁଡ଼ା ଫାର୍ମରେ ଜୁଆ ଖେଳ ଚାଲୁଥିବା ସମୟରେ ରେଙ୍ଗାଲି ପୁଲିସ ଅତର୍କିତ ଚଢ଼ଉ କରି ୧୯ ଜଣ ଜୁଆଡିଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ନିକଟରୁ ୧୯ଟି ମୋବାଇଲ ଫୋନ, ନଗଦ ୬୦ ହଜାର ୧୦ ଟଙ୍କା, ୫ଟି ମୋଟର ସାଇକେଲ, ୩ ପ୍ୟାକେଟ ତାସ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ୪ ଜଣ ପଡୋଶୀ ଛତିଶଗଡ଼ ରାଜ୍ୟର ଓ ୧୫ ଜଣ କନକତୋରା ଗ୍ରାମର ଥିବା ରେଙ୍ଗାଲି ପୁଲିସ ସୂଚନା ଦେଇଛି।

ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ କନକତୋରା ଗ୍ରାମର ଚନ୍ଦ୍ର ଶେଖର ମେହେରଙ୍କ କୁକୁଡ଼ା ଫାର୍ମରେ ଜୁଆ ଖେଳ ଚାଲିଥିଲା। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ଜୁଆଡିମାନେ ଭାଗ ନେଇଥିଲେ। କୌଣସି ସୂତ୍ରରୁ ଖବରପାଇ ରେଙ୍ଗାଲି ପୁଲିସ ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ପିଆରଙ୍କ ନିର୍ଦ୍ଦେଶକ୍ରମେ ଜୁଆ ଖେଳ ଚାଲୁଥିବା ସମୟରେ ଚଢ଼ଉ କରିଥିଲେ। ପୁଲିସ ସେଠାରୁ ସମସ୍ତଙ୍କୁ କାବୁ କରି ଥାନାକୁ ଆଣି ପଚରାଉଚୁରା କରିବା ସହ ୩ ଓପିଜି ଆକ୍ଟରେ କେସ୍ ନମ୍ବର-୨୦୬ ରୁଜୁ କରି କୋର୍ଟ ଚଲାଣ କରିଛି।