ପୁଣି ଗୋଟିଏ ଅଞ୍ଚଳକୁ ନିଜ କବଜାରେ ନେଲା ବିଏସ୍ଏଫ୍

ମାଲକାନଗିରି/କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଗୋରାସେତୁ ଅଞ୍ଚଳକୁ ସୁରକ୍ଷାକର୍ମୀମାନେ ନିଜ କବଜାକୁ ନେଇଛନ୍ତି। ସ୍ୱାଭିମାନ ଅଞ୍ଚଳର ଲାଲଗଡ଼ କୁହାଯାଉଥିବା ଗୋରାସେତୁଠାରେ ଓଡ଼ିଶା ପୁଲିସ ଓ ବିଏସ୍ଏଫର ମିଳିତ ସହଯୋଗରେ ଗତକାଲି ଆଉ ଏକ ବିଏସ୍ଏଫ୍ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ଫଳରେ ପୁଣି ଏହି ଲାଲଗଡ଼ରେ ତ୍ରିରଙ୍ଗା ଉଡ଼ିବା ସହ ଜାତୀୟ ସଙ୍ଗୀତ ଗାନରେ ସମ୍ପୃକ୍ତ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଛି ଏବଂ ମାଓବାଦୀଙ୍କୁ ଖୋଲା ଚ୍ୟାଲେଞ୍ଜଜ ଦିଆଯାଇଛି। ଏହି ଅବସରରେ ବିଏସ୍ଏଫ୍ ଡିଆଇଜି ଏସକେ ସିଂ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

ଏହି କ୍ୟାମ୍ପ ପ୍ରତିଷ୍ଠା ଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଉପସ୍ଥିତି ବୃଦ୍ଧି ପାଇବା ସହ ଅପରେସନ ପାଇଁ ସୁବିଧା ହେବ ବୋଲି କୁହାଯାଇଛି। ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ସରକାର ପ୍ରାଧାନ୍ୟ ଦେଉଥିବା ବେଳେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ସହ ଥାନା ପ୍ରତିଷ୍ଠା କରାଯାଇ ରାସ୍ତା ଓ ମୋବାଇଲ ସେବା ସହ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଉଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ରିଷିକେଶ ଡି ଖିଲାରୀ, ଏସଡିପିଓ ପ୍ରହଲ୍ଲାଦ ସହାଇ ମୀନାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।