କାଲିଠୁ ଖୋଲିବ ଆହାର କେନ୍ଦ୍ର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆସନ୍ତାକାଲିଠାରୁ ଝାରସୁଗୁଡ଼ା ଜିଲ୍ଲାର ଆହାର କେନ୍ଦ୍ରଗୁଡିକରେ ଲୋକଙ୍କୁ ପୂର୍ବପରି ଆହାର ଯୋଗାଇ ଦିଆଯିବ। ଏଥିସହିତ ଆହାର କେନ୍ଦ୍ରରେ ସାମାଜିକ ଦୂରତା, ପରିସ୍କାର ପରିଚ୍ଛନ୍ନତା ତଥା ମାସ୍କର ବ୍ୟବହାରକୁ ଅନିବାର୍ଯ୍ୟ କରାଯିବ। ଲୋକେ ସାମାଜିକ ଦୂରତା ବଜାୟ ରଖି ଆହାର କେନ୍ଦ୍ରରୁ ଖାଦ୍ୟ ଗ୍ରହଣ କରିପାରିବେ। ଏଥିପାଇଁ ଜିଲ୍ଲାର ବ୍ରଜରାଜନଗର ପୌରପରିଷଦ, ବେଲପାହାଡ଼ ପୌରପରିଷଦ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଆହାର କେନ୍ଦ୍ରକୁ ସୋମବାର ଠାରୁ କାର୍ଯ୍ୟକ୍ଷମ କରାଯିବ ବୋଲି ଜିଲ୍ଲା ଆହାର କମିଟିର ନୋଡାଲ ଅଫିସର ତଥା ଝାରସୁଗୁଡ଼ା ପୌରନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ସେ କହିଛନ୍ତି କରୋନା ମହାମାରୀ ସମୟରେ ଆହାର କେନ୍ଦ୍ର ବନ୍ଦ ହେବା ଫଳରେ ବହୁ ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେବେ ସୋମବାରଠୁ ଜିଲ୍ଲାର ଆହାରକେନ୍ଦ୍ର ଗୁଡିକ ଖୋଲିବା ପରେ ହଜାର ହଜାର ଲୋକ ଉପକୃତ ହୋଇପାରିବେ।