କୋଚ୍ ହେବା ପରେ ଟିମ୍ ଇଣ୍ଡିଆ ଲାଗି ରାହୁଲ ଦ୍ରାବିଡ଼ଙ୍କ ଯୋଜନା

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତାକାଲି ପ୍ରଥମ ଟି-ଟ୍ୱୋଣ୍ଟି ମ୍ୟାଚ୍ ଖେଳାଯିବ । ସିରିଜର ବାକି ୨ଟି ମ୍ୟାଚ୍ ରାଞ୍ଚି ଓ କୋଲକାତାରେ ଖେଳାଯିବ । ଏହି କ୍ରମରେ ଟିମ୍ ଇଣ୍ଡିଆର ନବନିଯୁକ୍ତ କୋଚ ରାହୁଲ ଦ୍ରାବିଡ଼ ଓ ଟି-ଟ୍ୱୋଣ୍ଟି ଅଧିନାୟକ ରୋହିତ ଶର୍ମାଙ୍କର ଏହା ହେଉଛି ପ୍ରଥମ ଆସାଇନମେଣ୍ଟ । ଦ୍ରାବିଡ ଓ ରୋହିତଙ୍କ ଏହି ଯୋଡ଼ି ମ୍ୟାଚ୍ ପୂର୍ବରୁ ଆଜି ପ୍ରେସ କନଫ୍ରେନ୍ସ କରିଛନ୍ତି ।

ଏହି ଅବସରରେ ରାହୁଲ ଦ୍ରାବିଡ କହିଛନ୍ତି ଯେ, ଆମେ ଭିନ୍ନ ଭିନ୍ନ ଫର୍ମାଟରେ ଅଲଗା ଅଲଗା ଖେଳାଳିଙ୍କ ଉପରେ ଧ୍ୟାନ ଦେଉନାହୁଁ । ବର୍ତ୍ତମାନ ସମୟରେ ଆମକୁ ଖେଳାଳିଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି । ମୁଁ ଚାହୁଁଛି ଖେଳାଳି ସଦାସର୍ବଦା ସୁସ୍ଥ ରୁହନ୍ତୁ ଏବଂ ତାଙ୍କୁ ଉପଯୁକ୍ତ ଆରାମ ମିଳୁ ।

ଦ୍ରାବିଡ ଆହୁରି କହିଛନ୍ତି ଯେ, ଆମ ପାଖରେ ଏମିତି ଖେଳାଳି ନଥିବେ ଯିଏକି ସବୁ ସମୟରେ ସବୁ ଫର୍ମାଟରେ ଖେଳିପାରିବେ । ଅନ୍ୟ ଖେଳାଳିଙ୍କ ପାଖରେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ରହିବ । ଆମ ପାଇଁ ୩ଟି ଯାଁକ ଫର୍ମାଟ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏଥିସହିତ ଆଗାମୀ ଦିନରେ ଆମେ ଦଳରେ ସମ୍ପୂର୍ଣ୍ଣ ରୂପେ ସୁଧାର ଆଣିବାକୁ ଚେଷ୍ଟା କରିବୁ ।