ପଞ୍ଜାବ: ଶିଖ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ସମ୍ମାନ ଦେବାକୁ ଯାଇ ଆସନ୍ତାକାଲିଠୁ କରତାରପୁର କୋରିଡର ଖୋଲିବାକୁ ଯାଉଛି । ପାଖାପାଖି ୨୦ ମାସ ପରେ କୋରିଡର ଖୋଲିବାକୁ ଯାଉଥିବାରୁ ସମଗ୍ର ଦେଶବାସୀ ବେଶ୍ ଖୁସି ଅଛନ୍ତି । ଏହି କ୍ରମରେ ୧୭ ତାରିଖ ରେଜିଷ୍ଟ୍ରେସନ ହେବ ଓ ୧୮ ତାରିଖରେ ୨୫୦ ଲୋକଙ୍କ ଗୋଟିଏ ଗ୍ରୁପ କରତାରପୁର ଯିବ । ପଞ୍ଜାବ ବିଜେପି ଅଧ୍ୟକ୍ଷ ଅଶ୍ୱିନି ଶର୍ମା ସେଠାରେ ଉପସ୍ଥିତ ରହି ପ୍ରଥମ ଗ୍ରୁପକୁ ସ୍ୱାଗତ କରିବେ । ପଞ୍ଜାବ ବିଜେପି ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାର କିଛି ସମୟ ପରେ କେନ୍ଦ୍ର ସରକାର କରତାରପୁର କୋରିଡର ଖୋଲିବାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ, ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନଭଜୋତ ସିଂହ ସିଦ୍ଧୁ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ସ୍ୱାଗତ କରିଛନ୍ତି ।
ସୂଚନାଯୋଗ୍ୟ, ନଭେମ୍ବର ୧୮ ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ ଓ ତାଙ୍କ କ୍ୟାବିନେଟର ଅନେକ ମନ୍ତ୍ରୀ ଏହି ଐତିହାସିକ ସ୍ଥଳୀ ଗସ୍ତ କରିବେ ।