ଧରମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ପରିଚାଳନା କମିଟି ଓ ଅଭିଭାବକ

ଦେବଗଡ଼/ରିଆମାଳ,ଏନ୍‌ଏନ୍‌ଏସ୍‌: ରିଆମାଳ ବ୍ଲକ ଧରମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଓ ଗଣିତ ଶିକ୍ଷକ ନିଯୁକ୍ତି ଦାବୀରେ ଅଭିଭାବକ ମଣ୍ଡଳୀ ଓ ବିଦ୍ୟାଳୟ ପରିଚାଳନା କମିଟି ଫାଟକରେ ତାଲା ପକାଇ ପ୍ରତିବାଦ କରିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ୨୦୨୧ ମସିହା ସେପ୍ଟେମ୍ବର ୫ ତାରିଖରେ ସଦାଶିବ ସାହୁ ନାମକ ଜଣେ ଶିକ୍ଷକ ପଦନ୍ନୋତି ପାଇଁ ଧରମପୁରରୁ ମଳେହିପଡ଼ା ବିଦ୍ୟାଳୟକୁ ବଦଳି ହୋଇଥିଲେ । ସେହି ଦିନଠୁ ଉକ୍ତ ବିଦ୍ୟାଳୟର ଷଷ୍ଠ ଓ ସପ୍ତମରେ ଗଣିତ ଓ ବିଜ୍ଞାନରେ ପାଠପଢ଼ା ଭଲ ଭାବେ ହେଉନାହିଁ । ଏସମ୍ପର୍କରେ ପରିଚାଳନା କମିଟି ବହୁବାର ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକମାନେ ବିଦ୍ୟାଳୟର ଫାଟକରେ ତାଲା ପକାଇଛନ୍ତି । ଅନ୍ୟପଟେ ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ବିଦ୍ୟାଳୟ ଫାଟକରେ ତାଲା ଝୁଲିବ ବୋଲି ଶିକ୍ଷା ପରିଚାଳନା କମିଟିର ସଭାପତି ସତ୍ୟ ବେହେରା କହିଛନ୍ତି ।