ଲୋଭର କରୁଣ ପରିଣତି: ୧୦ ଲକ୍ଷ ଟଙ୍କା ହରାଇ ଆତ୍ମହତ୍ୟା କଲେ ଯୁବକ

ବଲାଙ୍ଗିର,ଏନ୍‌ଏନ୍‌ଏସ୍: ଦୁଇ ତିନି ଗୁଣ ଅର୍ଥ ପାଇବା ଆଶାରେ ସେୟାର୍ ମାର୍କେଟରେ ଅର୍ଥ ଲଗାଇଥିଲେ। ଦୁଇ ଗୁଣ ଅର୍ଥ ଆସିବା ବଦଳରେ ଆସିଲା ଏକ ଜାଲି ଚେକ। ଏକା ଥରକୁ ୧୦ ଲକ୍ଷ ଟଙ୍କା ଠକେଇର ହେଲେ ଶିକାର। ଅର୍ଥ ସମୁଳ ବୁଡି ଯିବା ଜାଣିବା ପରେ କୌଣସି ବାଟ ନପାଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବା ଭଳି ଏକ ଅଭାବନୀୟ ଘଟଣା ଆଜି ସାମ୍ନାକୁ ଆସିଛି। ସିନ୍ଧେକେଲା ଥାନା ଅନ୍ତର୍ଗତ ଗନ୍ଧଲା ଗାଁ‘ର ସରଳ ଯୁବକ ବିନୋଦ। ତାଙ୍କୁ ସେଆର ମାର୍କେଟରେ ପଇସା ଲଗାଇଲେ ଦୁଇରୁ ତିନି ଗୁଣ ପର୍ଯ୍ୟନ୍ତ ଅର୍ଥଲାଭ ହେବା ଲୋଭ ଦେଖାଇଥିଲେ ଦିଲ୍ଲୀର ଓମ୍‌ ପ୍ରକାଶ ନାମକ ଯୁବକ।

ଓମ୍‌ ପ୍ରକାଶର ଲୋଭ ଜାଲରେ ପଡି ବିନୋଦ ନିଜ ପାଖରେ ସଞ୍ଚିଥିବା ୩ ଲକ୍ଷ ଟଙ୍କାର କଷ୍ଟ ଅର୍ଜିତ ଧନ ୭ ଲକ୍ଷ ଟଙ୍କା ସହିତ ଧାର କରି ସମୁଦାୟ ୧୦ ଲକ୍ଷ ଟଙ୍କା ବିନୋଦ ପାଖକୁ ପଠାଇଥିଲେ। ସପ୍ତାହକୁ ଦେଢ ଲକ୍ଷ ପାଇବା ବଦଳରେ କିଛି ଦିନ ପରେ ମିଳିଲା ଏକ ଜାଲି ଚେକ। ଟିଟିଲାଗଡ ବ୍ୟାଙ୍କରେ ଯାଇ ଜମା କରିବାରୁ ଚେକ ବାଉନ୍ସ ହୋଇଥିଲା। ପରେ ଓମ୍‌ ପ୍ରକାଶକୁ ଫୋନ କରିବାରୁ ଫୋନ ମଧ୍ୟ ବନ୍ଦ ରହିଥିଲା। ଠକେଇର ଶିକାର ହୋଇଥିବା ଜାଣି, ଧାର ପଇସା ସୁଝିବା ଚିନ୍ତା ଘାରିଥିଲା ହତାଶ ବିନୋଦଙ୍କୁ।

ଶେଷରେ କୌଣସି ରାସ୍ତା ନପାଇ ବିଷ ପାନ କରି ଜୀବନ ହାରିବା ଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି ପରିବାର ବର୍ଗ। ମଙ୍ଗଳବାର ସନ୍ଧ୍ୟାରେ ଘରକୁ ଫେରି ବିଷ ପିଇ ଦେଇ ଥିବା କହିଥିଲେ ବିନୋଦ। ପରିବାର ଲୋକେ ପ୍ରଥମେ ଟିଟିଲାଗଡ ଓ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାରତ ଅବସ୍ଥାରେ ବିନୋଦଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଶବ ବ୍ୟବଚ୍ଛେଦ ପରେ ତଦନ୍ତ ଜାରି ରଖିଥିବା ବେଳେ ପରିବାର ବର୍ଗ ଠକ ଓମ ପ୍ରକାଶକୁ ଗିରଫ କରିବା ସହ ସମସ୍ତ ଟଙ୍କା ଫେରସ୍ତ ଆଣିବା ପାଇଁ ଦାବି କରିଛନ୍ତି।