ଚାନ୍ଦିପୁର ଘାଟିରୁ କ୍ୟୁଆରଏସଏଏମ ମିଶାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର,ଏନ୍ଏନ୍ଏସ୍: ସୋମବାର ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଘାଟିରେ କୁଇକ ରିଆକ୍ସନ ସରଫେସ ଟୁ ଏୟାର(କ୍ୟୁଆରଏସଏଏମ) ମିସାଇଲର ସଫଳ ପରୀକ୍ଷଣ ହୋଇଛି। ଚାନ୍ଦିପୁରରେ ଥିବା ୩ନଂ ଲଞ୍ଚ ପ୍ୟାଡରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି। ସୂଚନା କ୍ରମେ ସୋମବାର ସକାଳ ୧୧ଟା ୪୯ମିନିଟରେ ଏହି ପରୀକ୍ଷଣ ହୋଇଛି। ଏହି କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା ୩୦ କିଲୋମିଟର ରହିଥିବାର ସୂଚନା ମିଳିଛି।

ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର କୁଇକ୍ ରିଆକ୍‌ସନ୍‌ ସରଫେସ୍‌ ଟୁ ଏୟାର ମିସାଇଲ ସଫଳତାର ସହିତ ଲକ୍ଷ୍ୟ ଭେଦ କରିଥିଲା । ଏହି କ୍ଷେପଣାସ୍ତ୍ରଟି ଯେ କୌଣସି ସ୍ଥାନରୁ ମୋବାଇଲ୍‌ ଲଞ୍ଚର ସାହାଯ୍ୟରେ ଶତ୍ରୁପକ୍ଷର ଟ୍ୟାଙ୍କ, ଯୁଦ୍ଧ ବିମାନ ଓ ଅନ୍ୟ ଲକ୍ଷକୁ ଧ୍ୱଂସ କରିପାରିବ ବୋଲି କୁହାଯାଇଛି। ଡିଆରଡିଓ, ଭାରତ ଇଲେକ୍ଟ୍ରୋନିକ୍ସ ଓ ଭାରତ ଡାଇନାମିକସର ସହାୟତାରେ ଏହି କ୍ଷେପଣାସ୍ତ୍ରକୁ ପ୍ରସ୍ତୁତ କରାଯାଇଛି। ସେହିପରି କ୍ୟୁଆରଏସଏଏମ ମିସାଇଲର ପ୍ରଥମ ପରୀକ୍ଷଣ ୨୦୧୭ ମସିହା ଜୁନ ୪ ତାରିଖରେ ହୋଇଥିଲା।