ସ୍ୱାଭିମାନ ଅଞ୍ଚଳରେ କୃଷି ବିକାଶ ପାଇଁ ବାର୍ତ୍ତା ଦେଲେ ମନ୍ତ୍ରୀ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ବଡ଼ପଡ଼ା ଠାରେ ସୋମବାର ଓଡିଶାର କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ମାଣ୍ଡିଆ ମଣ୍ଡିକୁ ଉଦଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର କୃଷି ବିଭାଗୀୟ ପ୍ରିନ୍ସିପାଲ ସେକ୍ରେଟାରୀ ଡ. ସୌରଭ ଗଙ୍ଗ, ଓଡ଼ିଶାର କୃଷି ବିଭାଗୀୟ ନିର୍ଦ୍ଦେଶକ ଡ. ଏମ. ମୁଥୁକୁମାର, କେବିକେ ପ୍ରଶାସକ ଏସପି ଠାକୁର, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ମଣ୍ଡିରେ କୃଷି ପଞ୍ଜିକରଣ କରାଯାଇ ୫୦୦୦ କ୍ୱିଣ୍ଟାଲ ମାଣ୍ଡିଆ କିଣିବାକୁ ଲକ୍ଷ୍ୟ ରଖାଯାଇଥିବା କହିଥିଲେ। ଏଥିସହ ମନ୍ତ୍ରୀଙ୍କ ଉପସ୍ଥିତିରେ ୨ଶହରୁ ଊଦ୍ଧ୍ୱର୍ କୁଇଣ୍ଟାଲ ମାଣ୍ଡିଆ କୁଇଣ୍ଟାଲ ପିଛା ୩୧୫୦ ଟଙ୍କା ମୂଲ୍ୟରେ କିଣାଯାଇଥିଲା। ଫଳରେ ଜଣେ ଚାଷୀ ଚାଷରୁ ଲାଭବାନ ହେବା ସହ ନିଜ ଜୀବିକା ନିର୍ବାହ କରିପାରିବ ବୋଲି କହିଥିଲେ। ମାଣ୍ଡିଆର ଉପକାରିତା ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇବା ସହ ସ୍ୱାଭିମାନ ଅଞ୍ଚଳରେ ଚାଷୀ ତଥା ଚାଷର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହରହ ଚିନ୍ତା କରୁଛନ୍ତି ବୋଲି ମନ୍ତ୍ରୀ ସାହୁ ପ୍ରକାଶ କରିଥିଲେ।

ଏଥିସହ ମାଣ୍ଡିଆ ଚାଷ ସହିତ ହଳଦୀ, ସୁଆଁ, କାଙ୍ଗୁ, ଖେରଜନା, ପରିବା ଓ ମାଛ ଚାଷ ଉପରେ ସ୍ୱାଭିମାନ ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ମନ୍ତ୍ରୀ କହିଥିଲେ। ପରେ ସମସ୍ତ ଅଧିକାରୀମାନେ ହଳଦୀ ଚାଷ ଓ ଗୁରୁପ୍ରିୟା ବୁଲାଇ ମନ୍ତ୍ରୀଙ୍କୁ ପରିଦର୍ଶନ କରାଇଥିଲେ। ବିଭିନ୍ନ ଉନ୍ନୟନ ମୂଳକ କାମ ଶୀଘ୍ର ଆଗେଇ ନେବାକୁ ମନ୍ତ୍ରୀ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ।