ଆଇପିଏଲ୍ ୨୦୨୨ରେ ମୁମ୍ବାଇଲ ଲଗାତାର ୫ମ ପରାଜୟ, ୧୨ ରନ୍‌ରେ ଜିତିଲା ପଂଜାବ

ପୁନେ,ଏଜେନ୍ସି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ଅନ୍ୟତମ ଶକ୍ତିଶାଳୀ ଦଳ ଚଳିତ ସଂସ୍କରଣରେ ଦର୍ଶକ ଓ ପ୍ରଶଂସକଙ୍କୁ ନିରାଶ କରିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳୁଥିବା ମୁମ୍ବାଇ ୨୦୨୨ ସଂସ୍କରଣରେ ଲଗାତାର ୫ମ ଥର ପରାଜିତ ହୋଇଛି। ପୁନେସ୍ଥିତ ମହରାଷ୍ଟ୍ର କ୍ରିକେଟ୍ ଆସୋସିଏଶନ ଷ୍ଟାଡିୟମ୍‌ରେ ବୁଧବାର ପଂଜାବ ଠାରୁ ମୁମ୍ବାଇ ୧୨ ରନ୍‌ରେ ପରାସ୍ତ ହୋଇଛି। ଏହା ପୂର୍ବରୁ ମୁମ୍ବାଇ ଟିମ୍ ଦିଲ୍ଲୀ, ରାଜସ୍ଥାନ, କୋଲକାତା ଓ ବାଙ୍ଗାଲୋର ଠାରୁ ପରାସ୍ତ ହୋଇଥିଲା।

ପଂଜାବ କିଙ୍ଗ୍‌ସ ପ୍ରଥମେ ବ୍ୟାଟିଂ କରି ୫ଟି ୱିକେଟ୍ ବିନିମୟରେ ୧୯୮ ରନ୍ ସଂଗ୍ରହ କରିଥିଲା। ଓପନର ମୟଙ୍କ ଅଗ୍ରୱାଲ ଓ ଶିଖର ଧାୱନ ଭଲ ବ୍ୟାଟିଂ କରିଥିଲେ। ଉଭୟ ଖେଳାଳି ଅର୍ଦ୍ଧଶତକ ହାସଲ କରିଥିଲେ। ୧୯୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମୁମ୍ବାଇ ୯ଟି ୱିକେଟ ହରାଇ ୧୮୬ ରନ୍‌ରେ ଅଟକି ଯାଇଥିଲା। ମୁମ୍ବାଇ ପାଇଁ ଡେୱାଲ୍ଡ ବ୍ରେୱିସ ସର୍ବାଧିକ ୪୯ ରନ୍ କରିଥିଲେ। କିନ୍ତୁ ଏହା ସତ୍ତ୍ୱେ ସେ ଦଳକୁ ବିଜୟୀ କରିପାରି ନଥିଲେ। ପରିସ୍ଥିତି ଏଭଳି ହୋଇଛି ଯେ, ମୁମ୍ବାଇକୁ ପ୍ଲେ-ଅଫ୍‌ରେ ସ୍ଥାନ ମିଳିବା ସହଜ ନୁହେଁ। କାରଣ ଏପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ପଏଣ୍ଟ ଟେବୁଲର ସର୍ବନିମ୍ନ ସ୍ଥାନରେ ରହିଛି।