ପୂଜାରାଙ୍କ ବିସ୍ଫୋରକ ବ୍ୟାଟିଂ

ବର୍ମିଂହାମ୍‌,ଏଜେନ୍ସି: ଭାରତୀୟ ଟେଷ୍ଟ୍ ସ୍ପେଶାଲିଷ୍ଟ୍ ଚେତେଶ୍ୱର ପୂଜାରା ବର୍ତ୍ତମାନ ଇଂଲଣ୍ଡରେ ରୟାଲ୍ ଲଣ୍ଡନ୍ ଦିନିକିଆ କପ୍ ଟୁର୍ଣ୍ଣାମେଣ୍ଟ୍‌ରେ ବ୍ୟସ୍ତ ଅଛନ୍ତି । ତେବେ ରକ୍ଷଣାତ୍ମକ ବ୍ୟାଟିଂ ପାଇଁ ବେଶ୍ ପରିଚିତ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଜଣକ ତାଙ୍କ ଚିରାଚରିତ ଶୈଳୀ ପରିବର୍ତ୍ତେ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସସେକ୍ସ ପକ୍ଷରୁ ଖେଳୁଥିବା ଏହି ଖେଳାଳି ଜଣକ ମାତ୍ର ୭୯ଟି ବଲ୍‌ର ସମ୍ମୁଖୀନ ହୋଇ ଦମ୍‌ଦାର ୧୦୭ ରନ୍ କରିଥିଲେ । ଏଥିରେ ଗୋଟିଏ ଓଭର୍‌ରୁ ୨୨ ରନ୍ ମଧ୍ୟ ଅନ୍ତର୍ଭୁକ୍ତ । ଅବଶ୍ୟ ୩୧୦ ରନ୍‌ର ଟାର୍ଗେଟ୍ ଦେଇଥିବା ୱାର୍‌ୱିକ୍‌ଶାୟର୍ ଏହି ମ୍ୟାଚ୍‌ରେ ବିଜୟୀ ହୋଇଥିଲା । କିନ୍ତୁ ଇନିଂସର ୪୫ତମ ଓଭର୍‌ରେ ପୂଜାରା ମଧ୍ୟମଗତି ବୋଲର୍ ଲିଆମ୍ ନୋରୱେଲ୍‌ଙ୍କୁ ସମ୍ମୁଖୀନ ହୋଇଥିବା ବେଳେ ଏଥିରୁ ୩ଟି ଚୌକା ଓ ଗୋଟିଏ ଛକା ସମେତ ୨୨ ରନ୍ ସଂଗ୍ରହ କରିଥିଲେ ।

ପୂଜାରା ତାଙ୍କ ଇନିଂସରେ ୭ଟି ଚୌକା ଓ ୨ଟି ଛକା ଲଗାଇଥିଲେ । ୪୯ତମ ଓଭର୍‌ର ପ୍ରଥମ ବଲ୍‌ରେ ଆଉଟ୍ ହେବା ଫଳରେ ପୂଜାରାଙ୍କ ଏହି ଧୂଆଁଧାର ଇନିଂସରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା ଓ ସସେକ୍ସ ନିର୍ଦ୍ଧାରିତ ଓଭର୍‌ରେ ୭ ୱିକେଟ୍ ହରାଇ ୩୦୬ ରନ୍ କରିଥିଲା । ଅନ୍ୟପକ୍ଷରେ ବିଜୟୀ ୱାର୍‌ୱିକ୍‌ଶାୟର୍ ପକ୍ଷରୁ ଖେଳୁଥିବା ଅନ୍ୟତମ ଭାରତୀୟ କ୍ରିକେଟର୍ କୃନାଲ୍ ପାଣ୍ଡ୍ୟା ୩ଟି ୱିକେଟ୍ ନେଇଥିଲେ । ଅବଶ୍ୟ ବ୍ୟାଟିଂରେ ସେ ୨ଟି ବଲ୍ ଖେଳି ଶୂନରେ ଆଉଟ୍ ହୋଇଥିଲେ । କିନ୍ତୁ ବୋଲିଂରେ ଅଲି ଓର୍ (୮୧), ଟମ୍ କ୍ଲାର୍କ (୩୦) ଓ ଡେଲ୍‌ରେ ରଲିନ୍ସ (୧୧)ଙ୍କୁ ଆଉଟ୍ କରି ୱାର୍‌ୱିକ୍‌ଶାୟର୍ ବିଜୟରେ ନିଜର ଅବଦାନ ଦେଇଥିଲେ ।