ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା; ଭାରତୀୟ କ୍ରୀଡ଼ାର ସୁବର୍ଣ୍ଣ ଯୁଗ ଆରମ୍ଭ

ନୂଆଦିଲ୍ଲୀ,ଏଜେନ୍ସି: ନିକଟରେ ଇଂଲଣ୍ଡର ବର୍ମିଂହାମ୍‌ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୨ତମ ସଂସ୍କରଣରେ ଭାରତ ୨୨ଟି ସ୍ୱର୍ଣ୍ଣ ସମେତ ୬୧ଟି ପଦକ ହାସଲ ପୂର୍ବକ ଚତୁର୍ଥ ସ୍ଥାନରେ ରହିଥିଲା । ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଭାରତୀୟ କ୍ରୀଡ଼ାବିତ୍ ଓ ସେମାନଙ୍କ କୋଚ୍‌ମାନଙ୍କୁ ଉତ୍ସାହଜନକ ପ୍ରଦର୍ଶନ ପରିପ୍ରେକ୍ଷୀରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରୀଡ଼ାବିତ୍‌ମାନଙ୍କ ଦୃଷ୍ଟାନ୍ତମୂଳକ କ୍ରୀଡ଼ା ନୈପୁଣ୍ୟ କାରଣରୁ ଦେଶ ଏକ ଉତ୍ସାହଜନକ ସଫଳତାର ନିଦର୍ଶନ ସ୍ୱରୂପ ସ୍ୱାଧୀନତାର ଅମୃତ କାଳରେ ପ୍ରବେଶ କରୁଛି ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଐତିହାସିକ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ ପରେ ଦେଶ ପ୍ରଥମ ଥର ପାଇଁ ଚେସ ଅଲିମ୍ପିଆଡ୍‌ର ଆୟୋଜନ କରିଛି । ଭାରତୀୟ କ୍ରୀଡ଼ାବିତ୍‌ମାନେ ଯେତେବେଳେ ବର୍ମିଂହାମରେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେଉଥିଲେ, ସେତେବେଳେ ଦେଶବାସୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଜାଗର ରହି ସେମାନଙ୍କ ସଫଳତାର ଅବଲୋକନ କରୁଥିଲେ । ଅନେକ ପ୍ରଶଂସକ ଖେଳର ତାଜା ସ୍ଥିତି ନେଇ ଅବଗତ ହେବା ସକାଶେ ଆଲାର୍ମ ଦେଇ ନିଦ୍ରା ଯାଉଥିଲେ । ଏବେ ଆମେ ସେମାନଙ୍କ ସେମାନଙ୍କ ବିଜୟ ଉତ୍ସବ ପାଳନ କରୁଛୁ ଓ ଏବେ ଦେଶର କ୍ରୀଡ଼ା ଜଗତର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ମତ ବ୍ୟକ୍ତ କରିଥିଲେ ।

ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଯେଉଁ ପ୍ରତିଯୋଗୀମାନେ ସେମାନଙ୍କ ପଦାର୍ପଣରେ ସଫଳତା ହାସଲ କରିଛନ୍ତି, ତାହା ଦେଶର ଯୁବପିଢ଼ିର ଆତ୍ମବିଶ୍ୱାସକୁ ବହୁଗୁଣିତ କରିଥିବା ମୋଦୀ କହିଛନ୍ତି । ଏହାଛଡ଼ା ଖେଲୋ ଇଣ୍ଡିଆ ଇଭେଣ୍ଟ୍‌ରୁ ଯେଉଁ ପ୍ରତିଯୋଗୀମାନେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିପାରିଛନ୍ତି, ସେମାନଙ୍କ ଦକ୍ଷତା ଅନ୍ୟମାନଙ୍କୁ ପ୍ରେରିତ କରିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ଆଶା କରିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ବର୍ମିଂହାମ୍‌ରେ ଭାରତ ଜିତିଥିବା ପଦକରୁ ଖେଳାଳିଙ୍କ ସଫଳତାକୁ ଆକଳନ କରାଯାଇପାରିବ ନାହିଁ । କାରଣ ଆମର ଖେଳାଳିମାନେ ପ୍ରତିଦ୍ୱନ୍ଦ୍ୱୀଙ୍କୁ କଡ଼ା ଟକ୍କର ଦେଇଛନ୍ତି । ଏଥିରେ ହୁଏତ କୌଣସି ପ୍ରତିଯୋଗୀ ଗୋଟିଏ ସେକେଣ୍ଡ୍ କିମ୍ବା ଗୋଟିଏ ସେଣ୍ଟିମିଟର୍‌ରେ ପଦକରୁ ବଞ୍ଚିତ ହୋଇଛନ୍ତି । କିନ୍ତୁ ଏହା ସେମାନଙ୍କ ଆତ୍ମବିଶ୍ୱାସର ସ୍ତରକୁ ଆକାଶଛୁଆଁ କରିପାରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ୪ଟି ନୂଆ କ୍ରୀଡ଼ା ଇଭେଣ୍ଟ୍‌ରେ ଭାରତ ପଦକ ଜିତିଥିବାରୁ ଏହି ଧାରାକୁ ଆଗାମୀ ଦିନରେ ବଜାୟ ରଖିବା ସକାଶେ ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତ୍‌ମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଚେନ୍ନାଇଠାରେ ଅନୁଷ୍ଠିତ ଚେସ୍ ଅଲିମ୍ପିଆଡ୍‌ରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ବଧେଇ ଜଣାଇଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୨୨ଟି ସ୍ୱର୍ଣ୍ଣ ବ୍ୟତୀତ ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ୍ ପଦକ ହାସଲ କରିଥିଲା ।