ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ, ଜଣେ ସିଆର୍‌ପିଏଫ୍‌ ଯବାନ ଆହତ

ଶ୍ରୀନଗର,ଏଜେନ୍ସି: ୭୫ ତମ ସ୍ବାଧୀନତା ଦିବସ ପାଳନ ପାଇଁ ଦେଶବ୍ୟାପୀ ପ୍ରସ୍ତୁତି ଜାରି ରହିଥିବା ବେଳେ କାଶ୍ମୀରରେ ପୁଣି ଥରେ ଉପସ୍ଥିତି ଜାହିର କରିଛନ୍ତି ଆତଙ୍କବାଦୀ । ଆଜି ସୁରକ୍ଷା ବଳ ଉପରେ ଆତଙ୍କବାଦୀ ଗ୍ରନେଡ ମାଡ କରିବା ଫଳରେ ଜଣେ ସିଆର୍‌ପିଏଫ୍‌ ଯବାନ ଆହତ ହୋଇଛନ୍ତି ।

କାଶ୍ମୀର ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସନ୍ଦିଗ୍ଧ ଆତଙ୍କୀ ଏହି ଗ୍ରେନେଡ ମାଡ କରିଛନ୍ତି । ଏଥିରେ ଜଣେ ସିଆର୍‌ପିଏଫ୍‌ ଯବାନ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଏବେ ଚିକିତ୍ସାଧୀନ ରହିଛନ୍ତି ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏପରି ଘଟଣା ପରେ ସୁରକ୍ଷା ବଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସେଠାରେ କିଛି ଆତଙ୍କୀ ଆତ୍ମଗୋପନ କରିଥିବା ମଧ୍ୟ ସୂଚନା ମିଳିଛି । ସେମାନଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।