ହାତୀ ଉପଦ୍ରବ ଯୋଗୁ ବଢ଼ିଲା ଜନ ଅସନ୍ତୋଷ, ସମାଧାନ ପାଇଁ ଗ୍ରାଉଣ୍ଡ ଜିରୋରେ ଜିଲ୍ଲା ପ୍ରଶାସନ 

ଦେବଗଡ଼,ଏନ୍ଏନ୍ଏସ୍: ତିଳେଇବଣି ବ୍ଲକ ଅନ୍ତର୍ଗତ ବିଭନ୍ନ ପଞ୍ଚାୟତରେ ହାତୀ ଉପଦ୍ରବ ଯୋଗୁ ବିଭନ୍ନ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇଛି। ସମସ୍ୟାର ସମାଧାନ ପାଇଁ ଆଜି ପ୍ରଶାସନ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ବାଟ ଖୋଜିଛି।  ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରଶାସନ, ବନ ବିଭାଗ, ପୁଲିସ ବିଭାଗ ଓ ଗ୍ରାମବାସୀଙ୍କ ମଧ୍ୟରେ ସୁଗୁଡ଼ା ପଞ୍ଚାୟତ ସଦର ମହକୁମାରେ ଆଜି ଅପରାହ୍ନରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଞ୍ଚଳବାସୀଙ୍କ ପକ୍ଷରୁ ହାତୀ ସମସ୍ୟାରୁ ନିସ୍ତାର ପାଇଁ ଗ୍ରାମବାସୀମାନେ ମତବ୍ୟକ୍ତ କରିଥିଲେ। ସେହିପରି ହାତୀ ପଲଙ୍କୁ ଘଉଡ଼ାଇବାକୁ ଯାଉଥିବା ବନ କର୍ମଚାରୀମାନେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେଉଥିବାରୁ ବନକର୍ମଚାରୀଙ୍କ ମନୋବଳ ଦୁର୍ବଳ ହୋଇ ପଡୁଥିବା ବନ ବିଭାଗ ମତ ପ୍ରକାଶ କରିଛି। ଏହି ଅବସରରେ ଜିଲ୍ଲା ପୁଲିସର ସହାୟତାରେ ବନବିଭାଗ କର୍ମଚାରୀ ଓ ଗ୍ରାମବାସୀମାନେ ମିଳିତ ଭାବେ ହାତୀ ଘଉଡ଼ାଇବାକୁ ନିଷ୍ପତି ନେଇଛନ୍ତି। ଅନ୍ୟପଟେ ଗ୍ରାମବାସୀମାନେ ଶତ ପ୍ରତିଶତ ଫସଲ କ୍ଷତିପୂରଣ ଦାବୀ କରିଛନ୍ତି। ବନ ବିଭାଗ ପକ୍ଷରୁ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ, ବିଡିଓ କୃଷ୍ଣ ଚନ୍ଦ୍ର ଦଳପତ, ଦେବଗଡ଼ ତହସିଲଦାର ପଲ୍ଲବୀ ନାୟକ, ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ସମେତ ଦେବଗଡ଼, କୁଣ୍ଢେଇଗୋଳା ଥାନାଧିକାରୀ, ବନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।