ଜଙ୍ଗଲ ଜମି ହଡ଼ପ ବିରୋଧରେ ବିଜେପିର ଗଣବିକ୍ଷୋଭ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ୍ ସୋଢାମାଲ ଗ୍ରାମର ୮ ଏକର ଜଙ୍ଗଲ ଜମିକୁ ଇଡ୍କୋ ପକ୍ଷରୁ ଘରୋଇ କମ୍ପାନୀ ମହନଦୀ ୱେଷ୍ଟ ମେନେଜମେଣ୍ଟକୁ ଲିଜ୍ ଦେବା ଘଟଣାକୁ ଜିଲ୍ଲା ବିଜେପି ଦୃଢ ବିରୋଧ କରିଛି। ଏନେଇ ବିରୋଧ ପ୍ରଦର୍ଶନ କରି ଆଜି ବିଜେପି ପକ୍ଷରୁ ବେହେରାମାଲ ଛକଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଗଣ ବିକ୍ଷୋଭ କରାଯାଇ ତୁରନ୍ତ ଏହି  ଲିଜ୍  ବାତିଲ କରିବା ସହ ଜଙ୍ଗଳ ଜମିକୁ ଫରସ୍ତ କରିବା ପାଇଁ ଦାବି କରାଯାଇଛି। ଏହାସହ ଜଙ୍ଗଲ ଜମିକୁ ଘରୋଇ କମ୍ପାନୀଙ୍କୁ ଲିଜ ଦେବାରେ ସହଯୋଗ କରିଥିବା ପ୍ରତ୍ୟେକ ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି। ଜିଲ୍ଲା ବିଜେପି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଗଛ ଥିବା ସରକାରୀ ଜମିକୁ କାହାକୁ ନ ଦେବା ନେଇ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଥିଲେ ହେଁ ତଞ୍ଚକତା କରି ମହାନଦୀ ୱେଷ୍ଟ ମ୍ୟାନେଜମେଣ୍ଟ କମ୍ପାନୀକୁ ଜଙ୍ଗଲ ଜମି ଦିଆଯାଇଛି।

ଫଳରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ତୁରନ୍ତ ସୋଢାମାଲ ଗସ୍ତକରି ତଦନ୍ତ କିରବାସହ ଏହି ଜମି ଲିଜକୁ ତୁରନ୍ତ ବାତିଲ କରନ୍ତୁ। ନଚେତ ଆଗାମୀ ଦିନରେ ଜିଲ୍ଲା ବିଜେପି ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯବିବୋଲି ଚେତାବନୀ ଦେଇଛନ୍ତି। ଏହି ଅବସରରେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରୀପାଠି, ନେତାଜୀ ପଟ୍ଟନାୟକ, ବଲବିନ୍ଦର ସିଂ, ସୋନୁ ଥିରାନୀ, ରିତେଶ ସୋନାକର, କିଷ୍ଣ ମୁରାରୀ ସିଂ, ରିତେଶ ସୋନାକର, ଗୋପାଲ ପଟେଲ, ମନୋଜ ସାହୁ, କିଶୋର ସାହୁ ପ୍ରମୁଖଙ୍କ ସହ ଜିଲ୍ଲା ବିଜେପିର ସଦସ୍ୟମାନେ ଉପସ୍ଥିତ ଥିଲେ।