ବରଗଡ଼,ଏନ୍ଏନ୍ଏସ୍: ଅମ୍ବାପାଲିରୁ ସହରକୁ ସଂଯୋଗ କରୁଥିବା ବରଗଡ଼ ପୁରୁଣା ଜାତୀୟ ରାଜପଥ ଏବେ ଜବରଦଖଲକାରୀଙ୍କ କବଜାରେ ରହିଛି । ଏଣୁ ଏହା ସଂକୀର୍ଣ୍ଣ ହୋଇପଡ଼ିଛି । ଜିରା ନଦୀ ଉପରେ ନୂତନ ପୋଲ ନିର୍ମାଣ ହେବା ପରେ ସହରର ଲେଙ୍ଗୁ ମିଶ୍ର ଛକଠାରୁ ଲମ୍ବା ବିଲ୍ଡିଂ ଯାଏ ପୁନଃଉଦ୍ଧାର କରିବାକୁ ଦାବୀ ହୋଇଆସୁଛି । ଏହି ଦାବୀକୁ ନେଇ ସମଲେଶ୍ୱରୀ ସଂଘ ସମେତ ୧୫ରୁ ଅଧିକ ସଂଘ ତରଫରୁ ଜିଲ୍ଲାପାଳଙ୍କଠାରେ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ପ୍ରଶାସନ ପକ୍ଷରୁ କେଉଁଠି ଜବରଦଖଲ ହୋଇଛି ଚିହ୍ନଟ କରିବା ପାଇଁ ରାସ୍ତା ମପା ଯାଇଥିଲା । ମାତ୍ର ପୁରୁଣା ରାସ୍ତା ୬୫ରୁ ୭୦ ଫୁଟ ଥିବାବେଳେ ସେହି ପୁରୁଣା ମ୍ୟାପ ନ ଆଣି ନୂଆ ମ୍ୟାପରେ ଚିହ୍ନଟ କରାଯାଇଛି । ଏହାକୁ ଅଞ୍ଚଳବାସୀ ବିରୋଧ କରିବାରୁ ଚିହ୍ନଟ ପ୍ରକ୍ରିୟା ବନ୍ଦ ରହିଛି । ପୁରୁଣା ମ୍ୟାପ ଅନୁସାରେ ରାସ୍ତା ଚିହ୍ନଟ କରି ଜବରଦଖଲ ହଟାଇବାକୁ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି କୁହାଯାଇଛି ।