ଟାଟା ପାୱାରକୁ ନିଷ୍ଠା ପରିବାରର ଦାବୀପତ୍ର

ବରଗଡ଼,ଏନ୍‌ଏନ୍‌ଏସ୍‌: ଟାଟା ପାୱାରର ଏକ ଜରୁରୀ ବୈଠକ ବରଗଡ଼ର ସ୍ଥାନୀୟ ହୋଟେଲରେ ଚାଲିଥିବାବେଳେ ଜିଲ୍ଲା ତଥା ସାରା ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ ବିଭ୍ରାଟ ଓ ବାରମ୍ବାର ବିଦ୍ୟୁତ କାଟକୁ ନେଇ ବରଗଡ଼ ଜୋନ ମୁଖ୍ୟ ଆଶିଷ କୁମାର ପାଟଯୋଶୀଙ୍କୁ ନିଷ୍ଠା ପରିବାର ଏକ ଦାବୀପତ୍ର ପ୍ରଦାନ କରିଛି । ଚଳିତ ବର୍ଷ ୧୦୦ ବର୍ଷର ତାପମାତ୍ରା ରେକର୍ଡ ଭାଙ୍ଗି ଥିବାବେଳେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଶ୍ରୀ ପାଟଯୋଶୀ ନିଷ୍ଠାର ଦାବୀପତ୍ର ଗ୍ରହଣ କରିବା ସହ ବାରମ୍ବାର ବିଦ୍ୟୁତ ବିଭ୍ରାଟ ସମସ୍ୟାର ସମାଧାନ ଶୀଘ୍ର କରାଯିବ ବୋଲି ନିଷ୍ଠା ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି । ବିଦ୍ୟୁତ ବିଭ୍ରାଟ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ନହେଲେ ଆଗାମୀ ଦିନରେ ଏକ ବିରାଟ ଜନ ଆନ୍ଦୋଳନର ନେତୃତ୍ୱ ନେବ ବୋଲି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ନିଷ୍ଠା ପରିବାରର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, ଜିତୁ ମହାପାତ୍ର, ସମ୍ପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଜୟନ୍ତ ପ୍ରଧାନ, ମହିଳା ଶାଖାର ମୁଖ୍ୟ ତ୍ରିପୁରା ସୁହୁଲାଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ ।