ଜୁଆଖେଳ ବନ୍ଦ ଦାବିରେ ରାଇଘର କୁନ୍ଦେଇ ମୁଖ୍ୟ ରାସ୍ତାରେ ବ୍ୟାନର

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ରାଇଘରରୁ କୁନ୍ଦେଇ ଯିବା ମୁଖ୍ୟ ରାସ୍ତା ମାରାଙ୍ଗପାଳି ନିକଟରେ ଏକ ବ୍ୟାନର ଦେଖିବାକୁ ମିଳିଛି । ଉକ୍ତ ବ୍ୟାନରରେ ଯୁଆ ଖେଳ ବନ୍ଦ କରିବା ପାଇଁ ଲେଖାଯିବା ସହ ରାଇଘର ଏବଂ କୁନ୍ଦେଇ ପୁଲିସକୁ ଚେତାବନୀ ଦିଆଯାଇଛି । ରାଇଘର ବ୍ଲକରେ ଜୁଆ ଖେଳ ବନ୍ଦ କରାଯାଉ ନଚେତ ନକ୍ସଲରେ ସାମିଲ ହେବୁ । ଆଦିବାସୀ ଲୋକେ ସର୍ବହରା ହେଉଥିବାବେଳେ ଅଞ୍ଚଳରେ ଅଶାନ୍ତି ବଢୁଛି ଏଥିପାଇଁ ପୁଲିସ ପ୍ରଶାସନ ଦାୟୀ ବୋଲି ଉକ୍ତ ବ୍ୟାନରରେ ଲେଖା ହୋଇଛି । ଏହି ଖବର ପାଇ ରାଇଘର ପୁଲିସ ପକ୍ଷରୁ ବ୍ୟାନରକୁ ଜବତ କରାଯାଇଛି । ଏହା ମାଓ ସଂଗଠନର ଲେଖା ନୁହେଁ ବରଂ ଅଞ୍ଚଳର ଯୁବଗୋଷ୍ଠୀ ଏହି ପୋଷ୍ଟର ଲେଖିଥିବା ପୁଲିସ ଅନୁମାନ କରୁଛି ।

ପ୍ରକାଶଥାଉ କି, ଦିନକୁଦିନ ଜୁଆ ଖେଳ ବୃଦ୍ଧି ପାଇବାକୁ ଲାଗିଥିବାବେଳେ ପୁଲିସ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ କେହି ଏହାକୁ ବିରୋଧ କରି ଅଭିନବ ଭାବେ ଏପରି ବ୍ୟାନରରେ ଲେଖି ପ୍ରତିବାଦ କରିଛି । ଜୁଆ ଖେଳ ବନ୍ଦ ପାଇଁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ସତ୍ତ୍ୱେ ଯୁଆଡ଼ଙ୍କୁ କିଛି ଫରକ ପଡୁନଥିବା ଦେଖିବାକୁ ମିଳିଛି ।