କୋରାପୁଟ,ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଉମରକୋଟ ଜେଲରେ ଥିବା ବିଚାରଧୀନ କଏଦୀ ଶ୍ରୀଧର ମାଳି ହୃଦଘାତରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ରବିବାର ଶ୍ରୀଧର ହୃଦଘାତର ଶିକାର ହେବା ପରେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସୋମବାର ପୂର୍ବାହ୍ନରେ ଶ୍ରୀଧରକୁ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ଚାଲିଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଶ୍ରୀଧରଙ୍କ ଘର ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ କୁସୁମୀ ଗ୍ରାମରେ ହୋଇଥିବାବେଳେ ସେ ୨୦୧୭ ମାର୍ଚ୍ଚ ୩୦ରୁ ଉମରକୋଟ ଜେଲରେ ସଜା କାଟୁଥିଲେ।