ନୂଆଦିଲ୍ଲୀ/ଭୁବନେଶ୍ୱର : ବରଗଡ ଜିଲ୍ଲାର ଅନେକ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇବାରୁ ବଞ୍ଚିତ ଅଛନ୍ତି। ବିଶେଷ କରି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ବାଦିକଟା, ଭେଙ୍ଗରାଜପୁର, ଲଖମରା, ଝିଟିକି, ଲରମ୍ଭା ( ବରଗଡ ) ଆଦି ପଞ୍ଚାୟତର ଚାଷୀମାନେ ୨୦୧୯ ମସିହାର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ଅଧ୍ୟାବଧି ପାଇ ନାହାଁନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଦିଲ୍ଲୀରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଓ ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ବକେୟା ଶସ୍ୟ ବୀମା ଟଙ୍କା ଚାଷୀ କିଭଳି ପାଇବେ ସେ ନେଇ ଆଲୋଚନା କରିଛନ୍ତି।
ଅଙ୍ଗନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ କେନ୍ଦ୍ର ମବୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗରେ ପ୍ରସ୍ତାବ ରଖାଯାଇଛି ବୋଲି ଶ୍ରୀ ପୁରୋହିତ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଉପରେ ସମସ୍ତ ପ୍ରକାର ତଥ୍ୟ ଶୁଣିବା ପରେ ଚାଷୀମାନେ କିପରି ଅତି ଶୀଘ୍ର ବୀମା ଟଙ୍କା ପାଇବେ ସେନେଇ କୃଷି ବିଭାଗର ଉଚ୍ଚ ଅଧିକାରୀଙ୍କୁ କୃଷି ମନ୍ତ୍ରୀ ଶ୍ରୀ ତୋମର ନିର୍ଦ୍ଦେଶ ଦେଇଥିଲେ। ଅଙ୍ଗନଦୀ ଉପରେ ପୋଲ ନିର୍ମାଣ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ମୁଖ୍ୟ ଶାସନ ସଚିବ ଓ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସହ ଆଲୋଚନା କରି ପୋଲ ନିର୍ମାଣ ପାଇଁ ରହିଥିବା ବାଧାକୁ ତୁରନ୍ତ ଦୂର କରିବା ପାଇଁ ଅନୁରୋଧ କରିଥିଲେ ।
ଆଗରୁ ମଧ୍ୟ ପୋଲ ନିର୍ମାଣ ଓ ରାସ୍ତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଏହି ଆଲୋଚନା ସମୟରେ ବରଗଡ ଲୋକସଭା ସାଂସଦ ସୁରେଶ ପୂଜାରୀଙ୍କ ସମେତ ବିଜେପି ନେତା ବାଜୁବନ ନାୟକ, ବିମଳ କୁମାର ସାହୁ, ସୌମିତ୍ରୀ ପ୍ରଧାନ, ଶ୍ରୀକାନ୍ତ ମିଶ୍ର, ଇନ୍ଦ୍ରମଣି ଶାସ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। କୃଷି ମବୀଙ୍କ ସହ କୃଷି ଭବନରେ ଆଲୋଚନା ହୋଇଥିବା ବେଳେ ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀଙ୍କ ସହ ତାଙ୍କ ବାସ ଭବନରେ ଆଲୋଚନା ହୋଇଥିଲା।