ନରସଂହାର ରଚିଲା ଆଇଏସ୍ଆଇଏସ୍ : ୫୦ ଜଣଙ୍କ ମୁଣ୍ଡ କାଟି ହତ୍ୟା

ନୂଆଦିଲ୍ଲୀ, ଏନ୍ଏନ୍ଏସ୍: ୫୦ଜଣଙ୍କ ମୁଣ୍ଡକାଟି ନିର୍ମମ ହତ୍ୟା କଲା ଆଇଏସଆଇଏସ ଆତଙ୍କବାଦୀ ସଂଘଠନ। ମୋଜାମ୍ବିକରେ ଏହି ନରସଂହାର ଦେଖିବାକୁ ମିଳିଛି। ଉତ୍ତର ମୋଜାମ୍ବିକର କାବୋ ଡେଲଗାଡୋ ଅଞ୍ଚଳରେ ଆତଙ୍କବାଦୀମାନେ ୫୦ ଜଣ ନାଗରିକଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା କରି ନିର୍ମମ ହତ୍ୟା କରିଥିବା ସୋମବାର ଏକ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

ଜଣେ ପ୍ରତ୍ୟେକ୍ଷଦର୍ଶୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଆତଙ୍କବାଦୀ ଏକ ଫୁଟବଲ ପଡ଼ିଆରେ ନିଜର କାର୍ଯ୍ୟ ସମ୍ପାଦନ କରିଛନ୍ତି। ଏହି ପଡ଼ିଆରେ ସମସ୍ତଙ୍କ ମୁଣ୍ଡ ଅଲଗା କରିବା ସହ ଛୋଟ ଛୋଟ ଖଣ୍ଡରେ ପରିଣତ କରିଛନ୍ତି । ତେବେ ଏହି ଆତାଙ୍କବାଦୀ ଇସ୍ଲାମିକ ଷ୍ଟେଟ (ଆଇଏସ) ସହ ଜଡ଼ିତ ବୋଲି ମଧ୍ୟ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି। କାବୋ ଡେଲଗାଡୋ ପ୍ରତି କେନ୍ଦ୍ର ସରକାରଙ୍କ ଆନ୍ତରିକତା ନଥିବା ବେଳେ ଏହା ଏବେ ବି ଏକ ବିଶୃଙ୍ଖଳିତ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛି। ଗରିବୀ ଓ ବେରୋଜଗାରକୁ ପ୍ରସଙ୍ଗ କରି ସେଠାକାର ଯୁବପୀଢ଼ୀଙ୍କୁ ହାତ କରୁଛନ୍ତି ଆତଙ୍କବାଦୀ। ସେମାନଙ୍କ ଗ୍ରୁପରେ ସାମିଲ ହେବାକୁ ପ୍ରେରଣା ଦେଉଥିବା ଜଣାପଡ଼ିଛି। ତେବେ ଶୁକ୍ରବାର ରାତିରେ ଆତଙ୍କବାଦୀ ମାନେ ‘ଆହ୍ଲାଉ ଆକବର’ ଉଚ୍ଚାରଣ କରି ଗୁଳି ଚାଳନା କରିବା ସହ ନାଞ୍ଜବା ଗାଁର ଘର ଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ।