ଭାରତକୁ କୃତଜ୍ଞତା ଜଣାଇଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ,ଏଜେନ୍ସି: ଭାରତକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ। ଶ୍ରୀଲଙ୍କାର ଦୁଃସମୟରେ ଭାରତ ସାହାଯ୍ୟ କରିଥିବାରୁ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମସିଂଘେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ବାର୍ତାଳପ କରିବା ସମୟରେ କହିଛନ୍ତି ଯେ, ଦୁଃସମୟରେ ଭାରତ ସହାୟତା କରିଥିବାରୁ ତାଙ୍କ ଦେଶ ଭାରତ ନିକଟରେ କୃତଜ୍ଞ।

ବିକ୍ରମସିଂଘେ ଟୁଇଟ କରି କହିଛନ୍ତି ଯେ, ଶ୍ରୀଲଙ୍କାର ଏଭଳି ଆର୍ଥିକ ସମସ୍ୟା ପୂର୍ବରୁ ଦେଖାଦେଇନଥିଲା। ଏହାର ସମାଧାନ ପାଇଁ ଇଂଟରନ୍ୟାସନାଲ ମନିଟାରି ଫଣ୍ଡ ସହ ଆଲୋଚନା କରି ଜୁନ ମାସ ମଧ୍ୟରେ କିଛି ବ୍ୟବସ୍ଥା କରିବାକୁ ଯୋଜନା ଚାଲିଛି। ଭାରତ ଓ ଜାପାନରୁ ସହାୟତା କରିବା ପାଇଁ ବିଦେଶୀ ସହାୟତା ସଂଘ ଗଠନ କରିବା ପାଇଁ କ୍ୱାଡ ସଦସ୍ୟ ରାଷ୍ଟ୍ରଙ୍କୁ ଦିଆଯାଇଥିବା ପ୍ରସ୍ତାବ ଉପରେ ଭାରତ ଓ ଜାପାନ ସକରାତ୍ମକ ମନୋଭାବ ପୋଷଣ କରିଥିବାରୁ ସେ କୃତଜ୍ଞ ବୋଲି କହିଛନ୍ତି।

ସୂଚନାନୁଯାୟୀ, କ୍ୱାଡ୍‌ ଶିଖର ସମ୍ମିଳନୀ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନର ପ୍ରଧାନମନ୍ତ୍ରୀ କିଶିଦା ପାରସ୍ପରିକ ବୈଠକରେ ଶ୍ରୀଲଙ୍କାକୁ ସହଯୋଗ କରିବା ପାଇଁ ନିଷ୍ପତି ନେଇଥିଲେ।