ଉତ୍ତର-ପୂର୍ବ ବ୍ରାଜିଲରେ ବନ୍ୟା-ଭୂସ୍ଖଳନ; ୩୧ ମୃତ, ଘର ଛାଡ଼ିଲେ ୧୦୦୦ ଲୋକ

ବ୍ରାସିଲିଆ,ଏଜେନ୍ସି: ବ୍ରାଜିଲର ପୂର୍ବୋତ୍ତର ରାଜ୍ୟ ପରନବୁକୋରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ହୋଇଛି। ଏଥିରେ ୨୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ଅନ୍ୟ ଏକ ରାଜ୍ୟ ଅଲାଗୋସରେ ନଦୀରେ ବନ୍ୟା ଜଳ ଆସିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ନାଗରିକ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ପରନବୁକୋରେ ବନ୍ୟା କାରଣରୁ ୧୦୦୦ରୁ ଅଧିକ ଲୋକ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି।

ପରନବୁକୋରେ ନାଗରିକ ସୁରକ୍ଷା ସଂସ୍ଥାର କାର୍ଯ୍ୟକାରୀ ସଚିବ, ଲେଫ୍ଟନେଣ୍ଟ କର୍ଣ୍ଣେଲ ଲିୟୋନାର୍ଡୋ ରୋଡ୍ରିଗ୍ସ ଇନ୍‌ଷ୍ଟାଗ୍ରାମ ଉପରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ କହିଛନ୍ତି ଯେ, ରାଜ୍ୟରେ ଭୂସ୍ଖଳନ ଓ ବନ୍ୟା ପ୍ଲାବିତ ଅଞ୍ଚଳରେ ୩୨୦୦୦ ପରିବାର ବସବାସ କରନ୍ତି। ରେସିଫେ ସହର ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ପାଇଁ ସ୍କୁଲରେ ଆଶ୍ରୟ ଦିଆଯାଇଛି। ଅଲାଗୋସରେ ରାଜ୍ୟ ସରକାର କହିଛନ୍ତି ଯେ, ବିଗତ କିଛି ଦିନ ମଧ୍ୟରେ ପ୍ରବଳ ବର୍ଷା ହୋଇଛି।