ଆଇପିଏଲ୍ ଫାଇନାଲ ମୁକାବିଲା ଆଜି, ଚାମ୍ପିଅନ ହେବା ପାଇଁ ଲଢ଼ିବେ ଗୁଜରାଟ-ରାଜସ୍ଥାନ

ଅହମ୍ମଦାବାଦ,ଏଜେନ୍ସି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ର ଫାଇନାଲ୍ ମ୍ୟାଚ୍ ଆଜି ଖେଳାଯାଉଛି। ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ରାତି ୮ଟାରୁ ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍ ଆରମ୍ଭ ହେବ। ଟ୍ରଫି ଜିତିବା ପାଇଁ ଉଭୟ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଲଢ଼େଇ ହେବ। ଗୁଜରାଟ ପ୍ରଥମ ଥର ଆଇପିଏଲ୍‌ରେ ଯୋଗଦେଇଥିଲେ ମଧ୍ୟ ୧୦ଟିମ୍ ମଧ୍ୟରେ ସବୁଠାରୁ ଭଲ ପ୍ରଦର୍ଶନ କରିପାରିଛି। ତେଣୁ ଚାମ୍ପିଅନ ହେବାକୁ ଉଦ୍ୟମ କରିବ। ଅପରପକ୍ଷେ ରାଜସ୍ଥାନ ୨ୟ ଥର ପାଇଁ ଚାମ୍ପିଅନ ହେବାକୁ ଚାହିଁବ। ରାଜସ୍ଥାନ ରୟାଲ୍ସ ୨୦୦୮ରେ ଶେନ୍ ୱାର୍ଣ୍ଣଙ୍କ ନେତୃତ୍ୱରେ ଚାମ୍ପିଅନ୍ ହୋଇଥିଲା।

ଆଇପିଏଲ୍‌-୨୦୨୨ ଲିଗ୍ ପର୍ଯ୍ୟାୟରେ ଉଭୟ ଗୁଜରାଟ ଓ ରାଜସ୍ଥାନ ୧୪-୧୪ ମ୍ୟାଚ ଖେଳିଥିଲେ। ଗୁଜରାଟ ୧୦ଟି ମ୍ୟାଚରେ ବିଜୟୀ ହୋଇଥିଲା ବେଳେ ରାଜସ୍ଥାନ ୯ଟିରେ ଜିତିଥିଲା। ତେଣୁ ଉଭୟ ଦଳ ମଧ୍ୟରେ କ୍ୱାଲିଫାୟର-୧ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସଂଜୁ ସାମସନଙ୍କ ରାଜସ୍ଥାନ ଟିମ୍ ୬ଟି ୱିକେଟ୍ ହରାଇ ୧୮୮ ରନ୍ କରିଥିଲା। ଜବାବରେ ଗୁଜରାଟ ୧୯.୩ ଓଭରରେ ମାତ୍ର ୩ଟି ୱିକେଟ ହରାଇ ୧୯୧ ରନ୍ କରି ଫାଇନାଲ ପହଞ୍ଚିଥିଲା।

ସେହିପରି କ୍ୱାଲିଫାୟର-୨ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୭ ୱିକେଟ୍‌ରେ ପରାସ୍ତ କରି ରାଜସ୍ଥାନ ରୟାଲ୍ସ ଦ୍ୱିତୀୟ ଟିମ୍ ଭାବେ ଫାଇନାଲରେ ପ୍ରବେଶ କରିଥିଲା। ଫାଫ୍ ଡୁ’ ପ୍ଲେସିସଙ୍କ ନେତୃତ୍ୱରେ ବାଙ୍ଗାଲୋର ୮ଟି ୱିକେଟ୍ ହରାଇ ୧୫୭ ରନ୍ କରିଥିଲା। ଜବାବରେ ରାଜସ୍ଥାନ ୧୮.୧ ଓଭରରେ ୩ଟି ୱିକେଟ ହରାଇ ୧୬୧ ରନ୍ କରି ମ୍ୟାଚ ଜିତିଥିଲା।