ନୂଆଦିଲ୍ଲୀ,ଏଜେନ୍ସି: ୟୁକ୍ରେନ୍-ଋଷ ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ କରିବେ। ସୂଚନାନୁସାରେ, ବାରାଣାସୀରେ ନିର୍ବାଚନ ପ୍ରଚାରରୁ ଫେରିବା ପରେ ଖୁବ ଶୀଘ୍ର ଏହି ବୈଠକ ଅନୁଷ୍ଠିତ ହେବ। ଏହାପୂର୍ବରୁ ଗୁରୁବାର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ମନ୍ତ୍ରୀମଣ୍ଡଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟାନ୍ୟ ମନ୍ତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ।
ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ତାଙ୍କର ଦୀର୍ଘ ଦିନର ବିଶ୍ୱାସକୁ ଦୋହରାଇଛନ୍ତି ଯେ ଋଷ ଏବଂ ନାଟୋ ମଧ୍ୟରେ ମତଭେଦ କେବଳ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ।
ଏଥି ସହିତ ଶନିବାର ଦିନ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନରେ କଥା ହୋଇଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) କୁ ସମର୍ଥନ କରିବାକୁ ଜେଲେନସ୍କି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିଥିଲେ ଏବଂ ଦେଶର ପରିସ୍ଥିତି ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ।