ୟୁକ୍ରେନ୍‌ର ଖାରକିଭ୍‌ରେ ଗ୍ୟାସ୍ ପାଇପଲାଇନ୍ ଧ୍ୱଂସ, ରାଜଧାନୀ ଠାରୁ ୪କିମି ଦୂରରେ ଗୁଳିବର୍ଷା

ନୂଆଦିଲ୍ଲୀ,ଏଜେନ୍ସି: ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଗତ ୨୪ ତାରିଖ ଠାରୁ ଯୁଦ୍ଧ ଆରମ୍ଭ ହୋଇଯାଇଛି। କଟକଣା ପରେ ବି ରୁଷିଆ ଆକ୍ରମଣ କରିଚାଲିଛି। ୟୁକ୍ରେନ୍ ଉପରେ ବାରମ୍ବାର ଆକ୍ରମଣ କରିବାକୁ ଚେତାବନୀ ଦେଉଛି। ଅପରପକ୍ଷେ ୟୁକ୍ରେନ ମଧ୍ୟ ଲଢ଼େଇ ଜାରି ରଖିବାକୁ ଘୋଷଣା କରିଛି। ଆଜି ୪ର୍ଥ ଦିନରେ ରୁଷିଆ ମିସାଇଲ ଓ ରକେଟ ଆକ୍ରମଣ କରିଛି।

ଋୁଷୀୟ ସେନା ଧୀରେ ଧୀରେ ୟୁକ୍ରେନ୍‌ର ରାଜଧାନୀ ଅଭିମୁଖେ ଅଗ୍ରସର ହେଉଛି। ରୁଷିଆର ସେନା ରାଜଧାନୀ କିଭ୍ ପାଖାପାଖି ହୋଇଛନ୍ତି । ସୈନିକମାନେ କିଭ୍‌କୁ ଘେରାବନ୍ଦୀ କରିସାରିଛନ୍ତି। ସହରର ମାତ୍ର ୪ କିମି ଦୂରରୁ ରୁଷିଆର ସୈନିକମାନେ ଗୁଳିବର୍ଷା କରିଛନ୍ତି। ୟୁକ୍ରେନ୍‌ର ଖାରକିଭରେ ଗ୍ୟାସ ପାଇପଲାଇନ୍ ଧ୍ୱଂସ ହୋଇଛି।

ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଜାରି ଥିବା ଯୁଦ୍ଧ କାରଣରୁ ନିରୀହ ଜନତାଙ୍କୁ କଷ୍ଟ ଭୋଗିବାକୁ ପଡୁଛି। ୟୁକ୍ରେନ୍‌ର ମାରିୟୁପୋଲ ନିକଟରେ ରୁଷୀୟ ବୋମାମାଡ଼ରେ ଗ୍ରୀସର ୧୦ ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି। ୬ ଜଣ ଲୋକ ଆହତ ହୋଇଛନ୍ତି। ଗ୍ରୀସ ଏବାବଦରେ ରୁଷୀୟ ରାଜଦୂତଙ୍କୁ ସୂଚନା ଦେଇଛନ୍ତି। ଗ୍ରୀସର ପ୍ରଧାନମନ୍ତ୍ରୀ କ୍ୱାରିକୋସ ମିତ୍ସୋଟାକିସ ଟୁଇଟ କରି କହିଛନ୍ତି ଯେ, ବିନା ଦୋଷରେ ଆମର ୧୦ ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି। ଗ୍ରୀସର ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ବୋମମାଡ଼ ସରତାନା ଓ ବୁଗାସ ଗାଁର ବାହାର ଅଞ୍ଚଳରେ ହୋଇଛି। ଏଥିରେ ଏକ ଶିଶୁ ମଧ୍ୟ ଆହତ ହୋଇଛି।

ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ହିଂସାର ମାତ୍ରା ବଢ଼ିବାରେ ଲାଗିଛି। କାରଣ ବେଲାରୁସ ପକ୍ଷରୁ ରୁଷିଆକୁ ନିଜର ଏଠାରେ ପରମାଣୁ ଅସ୍ତ୍ର ମୁତୟନ କରିବାକୁ ସ୍ୱୀକୃତି ଦିଆଯାଇଛି। ଫ୍ରାନ୍ସର ରାଷ୍ଟ୍ରପତି ଏହାକୁ ତୀବ୍ର ବିରୋଧ କରିଛନ୍ତି। ଏଥି ସହିତ ସେ କହିଛନ୍ତି ଯେ, ଏହି ଲଢ଼େଇରେ ସେ ରୁଷିଆକୁ ସମର୍ଥନ ଜଣାଇବେ ନାହିଁ। ଅନ୍ୟପଟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆଗାମୀ ବିଶ୍ୱଯୁଦ୍ଧ ହୋଇପାରେ। କାରଣ ୟୁକ୍ରେନ୍ ଉପରେ ରୁଷିଆ ଲଗାତାର ଆକ୍ରମଣ କରୁଛି।