ଦେବଗଡ଼,ଏନ୍ଏନ୍ଏସ୍: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶିଳ୍ପପତି ଗୌତମ ଅଦାନୀଙ୍କ ମହାମେଣ୍ଟରେ ମହାଦୁର୍ନୀତି ଯୋଗୁ ଦେଶର ଆର୍ଥିକ ସ୍ଥିତି ବିଗିଡ଼ିଛି । ଏହାସହ ଦେଶର ରାଷ୍ଟ୍ରୟତ ବ୍ୟାଙ୍କ ଓ ଏଲଆଇସି ଭଳି ସଂସ୍ଥାର ହଜାର ହଜାର କୋଟି ଟଙ୍କାକୁ ମୋଦୀ ସରକାରଙ୍କ ଅନୁକମ୍ପା ଯୋଗୁ ଅଦାନୀ ଗ୍ରୁପକୁ ପ୍ରଦାନ କରାଯାଇଛି । ଫଳରେ ଦେଶର କୋଟି କୋଟି ଜନସାଧାରଣଙ୍କର ଟଙ୍କା ହଡ଼ପ ହୋଇଥିବା ନେଇ କଂଗ୍ରେସ ଅଭିଯୋଗ କରିଛି । ଘଟଣାର ଜେପିସି ତଦନ୍ତ ପାଇଁ କଂଗ୍ରେସ ଦାବୀ କରୁଥିବାବେଳେ କେନ୍ଦ୍ର ସରକାର ଏହାକୁ ଗ୍ରହଣ ନ କରିବାକୁ ନେଇ ପ୍ରଶ୍ନ ଉଠାଇଛି । ସେହିପରି ଦେଶରେ ବେକାରୀ, ଗରିବୀ ଓ ଦରଦାମ ବୃଦ୍ଧି ଚରମ ସୀମାରେ ପହଞ୍ଚିଥିବାବେଳେ ମୋଦୀ ସରକାର ଏହାକୁ ଅମୃତ କାଳ ବୋଲି ବର୍ଣ୍ଣନା କରିବା ହାସ୍ୟାସ୍ପଦ । ଏଥିସହ ‘ନା ଖାଉଙ୍ଗା ନା ଖାନେ ଦୁଙ୍ଗା’ର ସ୍ଲୋଗାନ ଦେଉଥିବା ଦେଶର ଚୌକିଦାର ବୋଲାଉଥିବା ପ୍ରଧାନମନ୍ତ୍ରୀ ଦୁର୍ନୀତିଗ୍ରସ୍ତ ବୋଲି ଜିଲ୍ଲା କଂଗ୍ରେସ କମିଟି ସଭାପତି ଉମାଶଙ୍କର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷ ବିରେନ ସେନାପତି ଅଭିଯୋଗ କରିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ, ଉପସଭାପତି ସୁବାଷ ଚନ୍ଦ୍ର ଭୋଇ, ଏସସି ସେଲ ସଭାପତି ମଞ୍ଜୁଳ ନାୟକ, ବରିଷ୍ଠ କର୍ମୀ ଆମର୍ଜିତ ବାର୍ଲା, ପ୍ରମୋଦ କୁମାର ମିଶ୍ର ଓ ବସନ୍ତ କୁମାର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।