ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନାରେ ବିଭିନ୍ନ ମାମଲାରେ ଜବତ ହୋଇ ଥାନା ପରିସରରେ ରଖାଯାଇଥିବା ୧୨ଟି ବାଇକ, ଗୋଟିଏ ଟ୍ରାକ୍ଟର ହେଡ୍ ଓ ଗୋଟିଏ ଅଟୋରେ ନିଆଁ ଲାଗି ଯାଇଛି । ଫଳରେ ମୋହରା ଗ୍ରାମର ଜଳନ୍ଧର ମାଝୀଙ୍କ ଜବତ ହୋଇ ରହିଥିବା ଟ୍ରାକ୍ଟରରେ ନିଆଁ ଲାଗି ଚକ ଓ ସମ୍ମୁଖ ଭାଗ ପୋଡ଼ି ଯାଇଥିବାବେଳେ ବାଇକଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ପୋଡ଼ି ନଷ୍ଟ ହୋଇଯାଇଛି । ଏନେଇ ଖବର ପାଇ ଉମରକୋଟ ଏସଡ଼ିପିଓ ଶୁଭେନ୍ଦୁ ଶବର ଚନ୍ଦାହାଣ୍ଡି ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ମିଳିଥିବା ରିପୋର୍ଟ ମୁତାବକ, ଥାନା ନିକଟସ୍ଥ ଜମିରେ ନିଆଁ ଲାଗି ଥାନା ପରିସରକୁ ମାଡ଼ିଯିବାରୁ ଜବତ ବାଇକରେ ନିଆଁ ଲାଗି ଯାଇଥିଲା । ଚନ୍ଦାହାଣ୍ଡି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ପରେ ଚନ୍ଦାହାଣ୍ଡି ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଥିବା ନେଇ ଆଇଆଇସି ଉମେଶ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।