ଚତୁର୍ଥ ପର୍ଯ୍ୟାୟ ପାଞ୍ଚାୟତ ନିର୍ବାଚନ ପାଇଁ ଦେଓଗାଁ ବ୍ଲକରେ ପସ୍ତୁତି ଶେଷ

ଦେଓଗାଁ,ଏନ୍‌ଏନ୍‌ଏସ୍‌: ଆସନ୍ତା ୨୨ ତାରିଖରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ପାଞ୍ଚାୟତ ନିର୍ବାଚନ ପାଇଁ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ପ୍ରଶାସନର ପସ୍ତୁତି ଶେଷ ହୋଇଛି । ଦେଓଗାଁ ପଞ୍ଚାୟତର ୧୦ଟି ବୁଥକୁ ଆଦର୍ଶ ଗୋଲାପି ବୁଥ ଭାବରେ ବ୍ଲକ ପ୍ରଶାସନ ପ୍ରସ୍ତୁତ କରିଛି । ଏହାକୁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଅତିରିକ୍ତ ଆରକ୍ଷୀ ନିରୀକ୍ଷକ ବଲାଙ୍ଗୀର ବୁଲି ଦେଖିଛନ୍ତି ।

ସୂଚନାଯୋଗ୍ୟ, ବଲାଙ୍ଗୀର ଜିଲ୍ଲାର ୩୪ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୧୨ ଓ ୧୩ ନମ୍ବର ଜୋନ ଦେଓଗାଁ ବ୍ଲକରେ ରହିଛି । ୧୨ ନମ୍ବର ଜୋନରେ ୧୩ ପଞ୍ଚାୟତର ୫୨ ଖଣ୍ଡ ଗାଁର ୧୫୧ ୱାର୍ଡରେ ୩୫,୩୦୧ଜଣ ଭୋଟର ରହିଛନ୍ତି । ସେହିପରି ଦେଓଗାଁ ବ୍ଲକର ୧୩ ନମ୍ବର ଜୋନରେ ବି ୧୩ ପାଞ୍ଚାୟତ ରହିଥିବାବେଳେ ୧୬୨ଟି ୱାର୍ଡରେ ୪୦,୨୪୩ଜଣ ଭୋଟର ରହିଛନ୍ତି । ୩୧୩ଟି ବୁଥରେ ୭୫ ହଜାର ୪୪୪ଜଣ ମତଦାତା ମତଦାନ କରିବାକୁ ଥିବାବେଳେ ୧୦୦ଟି ୱାର୍ଡକୁ ସମ୍ବେଦନଶୀଳ ଓ ୫୩ଟିକୁ ଅତି ସମ୍ବେଦନଶୀଳ ବୋଲି ପୁଲିସ ଚିହ୍ନଟ କରିଛି । ଏଥିପାଇଁ ଦେଓଗାଁ ବ୍ଲକରେ ୧୨୫୨ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ପୁଲିସ ପ୍ରଶାସନ ପକ୍ଷରୁ ୧୨ଟି ମୋବାଇଲ ୟୁନିଟ, ୨ ଡିଏସପି, ୪ ଇନ୍ସପେକ୍ଟର,୧ ପ୍ଲାଟୁନ ଫୋର୍ସ ଦେଓଗାଁ ଥାନା ଓ ବନ୍ଧପଡ଼ା ଫାଣ୍ଡିରେ ରହିବା ପାଇଁ ବ୍ୟବସ୍ଥା ହୋଇଥିବାବେଳେ ୧୭ ଗାଡ଼ିରେ ୧୭ଜଣ ଅଫିସର ଏବଂ ୮ ଟି ସ୍ପେଶାଲ ସ୍କ୍ୱାର୍ଡ ନିୟୋଜିତ ହୋଇଛନ୍ତି ବୋଲି ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।