ପାଟଣାଗଡ଼,ଏନ୍ଏନ୍ଏସ୍: ଆସନ୍ତା ୨୦ ତାରିଖରେ ହେବାକୁ ଥିବା ରଥଯାତ୍ରା ପାଇଁ ପାଟଣାଗଡ଼ ସୁଭଦ୍ରା ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଦେବୋତ୍ତର ଅଧିକାରୀ ତଥା ପାଟଣାଗଡ଼ ଉପଜିଲ୍ଲାପାଳ ଡା. ବିଜୟା ନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତ ଦେବୋତ୍ତର ସଦସ୍ୟମାନେ ଯୋଗଦେଇ ନିଜ ନିଜର ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଆସନ୍ତା ରଥଯାତ୍ରା କିଭଳି ସୁରୁଖୁରୁରେ ପାଳନ କରାଯିବ ସେବିଷୟରେ ଆଲୋଚନା କରାଯାଇଥିଲା । ଗତ ବର୍ଷ ରଥଯାତ୍ରାରେ ହୋଇଥିବା ଖର୍ଚ୍ଚର ଆୟବ୍ୟୟ ବିବରଣୀ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝୀ, ସହକାରୀ ଜିଲ୍ଲାପାଳ ପଦ୍ମନାଭ ମାହାଣା, ଉପଖଣ୍ଡ ପୁଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା, ଏନଏସି ନଗରପାଳ ଉପନଗରପାଳ ଦେବୋତ୍ତର ସଦସ୍ୟଙ୍କ ମଧ୍ୟରେ ଅର୍ଜୁନ ଅଗ୍ରୱାଲ ସୁନୀଲ ଗୋଏଲ, ରାଣା ପ୍ରଧାନ, ସଦାଶିବ ସରାଫ, ସ୍ଥାନୀୟ ପୂର୍ତ୍ତ ବିଭାଗର ଏସଡିଓ ଅରୁଣ ପ୍ରକାଶ ଟେଟୋ, ବିଦ୍ୟୁତ ବିଭାଗର ଏସଡିଓ ମହାପାତ୍ର ବାବୁ, ଜନସ୍ୱାସ୍ଥ୍ୟ ବିଭାଗର ଯନ୍ତ୍ରୀ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସହରର ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିଙ୍କ ସହ ପାଟଣାଗଡ଼ରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଅପରାହ୍ନରେ ରଥ ଯାତ୍ରା ପାଇଁ ଦେବୋତ୍ତର ସଦସ୍ୟଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନ୍ୟବାଦ ଦେଇଥିଲେ ।