ଆତ୍ମହତ୍ୟା ଉଦ୍ୟମ ବେଳେ ନାବାଳିକା ଉଦ୍ଧାର ଘଟଣା : ପ୍ରତାରକ ପ୍ରେମିକ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ଗତ ସୋମବାର ରାତିରେ ପ୍ରଧାନପାଟ ଜଳପ୍ରପାତ ପାହାଡ଼କୁ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିବା ନାବାଳିକାକୁ ପୁଲିସ ର ସମୟପଯୋଗୀ ପଦକ୍ଷେପ ଫଳରେ ସୁରକ୍ଷିତ ଉଦ୍ଧାର କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦେବଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକା ଗତ ସୋମବାର ରାତିରେ ଦେବଗଡ଼ ସହରକୁ ଆସି ରାତି ପ୍ରାୟ ୯ଟା ସମୟରେ ପ୍ରଧାନପାଟ ଜଳପ୍ରପାତ ଆଡକୁ ଯାଉଥିଲା । ଅନ୍ଧାର ରାତିରେ ଏକୁଟିଆ ଯୁବତୀକୁ ଦେଖି ପାଟ୍ରୋଲିଙ୍ଗ ଟିମ୍ ତା ନିକଟ କୁ ଯିବାବେଳେ ପୁଲିସକୁ ଦେଖି ଯୁବତୀ ଜଣକ ପାହାଡ ଉପରକୁ ଦୌଡିବା ଆରମ୍ଭ କରିଥିଲା। ଏହାଦେଖି ମହିଳା ପୁଲିସ କର୍ମଚାରୀମାନେ ଯୁବତୀକୁ ପିଛା କରି କାବୁ କରି ପାହାଡ଼ ତଳକୁ ଆଣିବାପରେ ପଚରା ଉଚୁରା କରିଥିଲେ। ପଚରାଉଚୁରା ବେଳେ ଯୁବତୀ ଜଣକ ନାବାଳିକା ଥିବା ଏବଂ ଯୁବତୀଙ୍କ କାକାଙ୍କ ସାଙ୍ଗ ତାଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ସ୍ଥାପନ କରିବାପରେ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଜଣାପଡ଼ିଥିଲା। ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ ଗତ ଜାନୁଆରୀ ୪ତାରିଖ ଦିନ ସେ ଘରେ ଏକୁଟିଆ ଥିବା ସମୟରେ ବାରକୋଟ ଥାନା ଅନ୍ତର୍ଗତ ଧରମପୁର ଗ୍ରାମର ଅରକ୍ଷିତ ହରିଜନ (୨୪) ତାଙ୍କ ଘରକୁ ଆସି ଏକୁଟିଆ ଥିବାର ସୁଯୋଗ ରେ ପ୍ରେମ ନିବେଦନ କରିଥିଲେ । ନାବାଳିକା ଜଣକ ନିବେଦନ ପ୍ରତ୍ୟାଖାନ କରିବାରୁ ଅରକ୍ଷିତ ବଳପୂର୍ବକ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା। ସେହିପରି ଏ ଘଟଣା କହା ଆଗରେ ପ୍ରକାଶ କଲେ ହତ୍ୟା ଧମକ ଦେଇଥିଲା ।

ଏଥିସହ ସେ ନାବାଳିକାକୁ ବିବାହ କରିବାର ସାନ୍ତ୍ୱନା ଦେଇଥିଲା । ମାତ୍ର ଘଟଣା କିଛିଦିନ ପରଠାରୁ ଅଭିଯୁକ୍ତ ଅରକ୍ଷିତ ନାବାଳିକାଙ୍କ ଦୂରେଇ ରହୁଥିଲା। ଏହି ଘଟଣାରେ ଲୋକ ଲଜ୍ଜା ଓ ମାନସିକ ଯନ୍ତ୍ରଣା ଯୋଗୁଁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଥିଲା । ଗତକାଲି ଏନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବାପରେ ଦେବଗଡ଼ ଥାନା ପୁଲିସ ଦୁଷ୍କର୍ମ ଓ ପସ୍କୋ ମାମଲା ର ବିଭିନ୍ନ ଦଫାରେ ଅଭିଯୁକ୍ତ ଅରକ୍ଷିତଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଗିରଫ କରିଥିବା ଦେବଗଡ଼ ଥାନା ଅଧିକାରୀ ସୁରେନ୍ଦ୍ର କୁମର ନାୟକ ସୂଚନା ଦେଇଛନ୍ତି।