ଝାରସୁଗୁଡ଼ାରେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଧର୍ମେନ୍ଦ୍ରଙ୍କୁ ପତ୍ର

ଝାରସୁଗୁଡ଼ା, ଏନ୍ଏନ୍ଏସ୍: ଝାରସୁଗୁଡ଼ାରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଏକ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରାଯାଉ ବୋଲି କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରୀପାଠି ପତ୍ର ଲେଖିଛନ୍ତି। ଶ୍ରୀ ତ୍ରୀପାଠି ଉଲ୍ଲେଖ କରିଛନ୍ତି ଯେ, ଝାରସୁଗୁଡା ଜିଲ୍ଲାରେ  ଦୌନିକ ୩ଶହରୁ ଊର୍ଦ୍ଧ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ଏହି ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ପ୍ରଦାନ କରି ଝାରସୁଗୁଡାବାସୀଙ୍କୁ କରୋନା କବଳରୁ ସୁରକ୍ଷିତ ରଖିବା ପାଇଁ ଜେଏସଡବ୍ଲୁ ଷ୍ଟିଲର ସହାୟତାରେ ଝାରସୁଗୁଡାରେ ଏକ କୋଭିଡ ହସ୍ପିଟାଲ ସ୍ଥାପନ କରାଯାଉ। ଏହି ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅମ୍ଲଜାନ ସିଲିଣ୍ଡର, ଭେଂଟିଲେଟର, ଆଇସିୟୁ ଆଦିର ବ୍ୟବସ୍ଥା କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହାସହ ରାଉରକେଲାସ୍ଥିତ ସେଲ ଏବଂ ତାଲଚେରସ୍ଥିତ ଏମସିଏଲ ପକ୍ଷରୁ କୋଭିଡ ହସ୍ପିଟାଲର ପ୍ରତିଷ୍ଠା ଏବଂ ତୈଳ ଏବଂ ଇସ୍ପାତ ବିଭାଗ ଅଧୀନରେ ଥିବା ରାଷ୍ଟ୍ରାୟାତ ଉଦ୍ୟୋଗଗୁଡିକ ଯୁଦ୍ଧକାଳୀନ ଭିତ୍ତିରେ ଦେଶବାସୀଙ୍କୁ ଅକ୍ସିଜେନ ଯୋଗାଣ କରୁଥିବାରୁ ଟଙ୍କଧର ଧର୍ମେନ୍ଦ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି।