ସମ୍ବଲପୁର,ଏନ୍ଏନ୍ଏସ୍ : ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରୁ ରେଫର୍ ହୋଇ ବୁର୍ଲା ଭିମସାର ଡାକ୍ତରଖାନା ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗକୁ ଆସିଥିବା ଝାରଖଣ୍ଡର ଜଣେ ଗର୍ଭବତୀ କୋଭିଡ୍ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ରାଉରକେଲା କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷେ ଭିମସାର ଡାକ୍ତରଖାନା ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ ଲେବର ରୁମ ଏବଂ ୱାର୍ଡକୁ ବିଶୋଧିତ କରାଯିବା ସହ ମହିଳାଙ୍କ ଚିକିତ୍ସାରେ ନିୟୋଜିତ ଜଣେ ପିଜି ଛାତ୍ର, ଜଣେ ହାଉସର୍ଜନ, ଜଣେ ନର୍ସ ଏବଂ ଜଣେ ଆଟାଣ୍ଡାଣ୍ଟଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି।
ସୂଚନାଯୋଗ୍ୟ, ଝାରଖଣ୍ଡର ସମ୍ପୃକ୍ତ ଗର୍ଭବତୀଙ୍କୁ ରାଉରକେଲା ଆଇଜିଏଚ୍ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ମହିଳାଙ୍କ ପ୍ରସବଜନିତ ଜଟିଳତା ଥିବାରୁ ଭିମସାରକୁ ରେଫର୍ କରିଥିଲେ। ଗୁରୁବାର ବିଳମ୍ବିତ ରାତିରେ ତାଙ୍କୁ ଭିମସାର ଅଣାଯାଇଥିଲା। ମହିଳାଙ୍କୁ ଡାକ୍ତରଖାନାର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ ୱାର୍ଡରେ ରଖାଯାଇ ପରେ ଲେବର ରୁମକୁ ନିଆଯାଇଥିଲା। ହେଲେ, ଡାକ୍ତର ମହିଳାଙ୍କଠାରେ କୋଭିଡ୍ ଲକ୍ଷଣ ଚିହ୍ନଟ କରିଥିଲେ ଏବଂ ତୁରନ୍ତ ତାଙ୍କ ସ୍ୱାବ ସଂଗ୍ରହ କରି ଭିମସାରରେ ଚାଲିଥିବା ପିଏସଏଲ୍ ଲ୍ୟାବରେ ପରୀକ୍ଷା କରାଯାଇଥିଲା।
ପରୀକ୍ଷା ରିପୋର୍ଟ ପଜିଟିଭ ଆସିବାରୁ ପୁଣିଥରେ ମହିଳାଙ୍କ ସ୍ୱାବ ସଂଗ୍ରହ ପୂର୍ବକ ପରୀକ୍ଷା କରାଯାଇଥିଲା। ସେଥିରେ ମଧ୍ୟ ରିପୋର୍ଟ ପଜିଟିଭ ଆସିବାରୁ ବିଭାଗରେ ହଇଚଇ ସୃଷ୍ଟି ହୋଇଥିଲା। ସଙ୍ଗେ ସଙ୍ଗେ ବିଭାଗୀୟ କର୍ତ୍ତୃପକ୍ଷ ଡାକ୍ତରଖାନାର କୋଭିଡ୍ ନୋଡାଲ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। ତା’ପରେ ମହିଳାଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇ ରାଉରକେଲା କୋଭିଡ୍ ହସ୍ପିଟାଲକୁ ପଠାଇବା ବ୍ୟବସ୍ଥା କରାଯାଇଥିଲା। ଡାକ୍ତରଖାନା ପ୍ରସୂତି ଓ ସ୍ତ୍ରୀ ରୋଗ ୱାର୍ଡ, ଲେବର ରୁମ ଏବଂ ଆଇସୋଲେସନ ୱାର୍ଡକୁ ବିଶୋଧିତ କରାଯାଇଥିବା ଡାକ୍ତରଖାନା ଅଧୀକ୍ଷିକା ଡ. ଜୟଶ୍ରୀ ଦୋରା କହିଛନ୍ତି।