ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାତି ପାହିଲେ ରଜ । କିନ୍ତୁ କରୋନା ପାଇଁ ନିରାଡମ୍ବରରେ ପାଳିତ ହେବ ରଜ ପର୍ବ । ଏନେଇ ଅନେକ ଅଞ୍ଚଳରେ କଡ଼ା କଟକଣା ଲାଗୁ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ କରୋନା ମୁକାବିଲା କରିବା ପାଇଁ ବିଏମସି ପକ୍ଷରୁ ମଧ୍ୟ ଗାଇଡଲାଇନ୍ ଜାରି ହୋଇଛି । ଗାଇଡ୍ ଲାଇନ୍ ମୁତାବକ, ବାହାରେ ଏକାଠି ହେବା ଓ ଉତ୍ସବ ମନାଇବା ଉପରେ କଟକଣା ଜାରି ହୋଇଛି । ଏକାଠି ରଜ ଦୋଳି ଓ ତାସ ଖେଳିବା ଉପରେ କଟକଣା ଲାଗୁ ହୋଇଛି । ସମସ୍ତ ଦୋକାନରେ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଉଲ୍ଲଙ୍ଘନ କଲେ ଦୋକାନକୁ ସିଲ କରାଯିବ ବୋଲି କୁହାଯାଇଛି। ଆବଶ୍ୟକ ପଡିଲେ ଦୋକାନର ଲାଇସେନ୍ସ ରଦ୍ଦ କରାଯିବ ବୋଲି ନିୟମ ଲାଗୁ ହୋଇଛି। ଏହା ସହ ମାସ୍କ ନ ପିନ୍ଧି ବାହାରକୁ ବାହାରିଲେ ଫାଇନ୍ ଆଦାୟ ହେବ । ସେହିପରି ମାସ୍କ ନ ପିନ୍ଧି ଗ୍ରାହକଙ୍କୁ ଦୋକାନକୁ ପ୍ରବେଶ ମନା ହୋଇଛି।