ପୂର୍ବରୁ ଭାରତୀୟ ଦୂତାବାସ ପକ୍ଷରୁ ସେଦମାନଙ୍କୁ ଭାରତ ଫେରିଆସିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଏବେ ୟୁକ୍ରେନ୍ରେ ଥିବା ପ୍ରବାସୀ ଭାରତୀୟ ପାଇଁ ବଡ଼ ଘୋଷଣା କରିଛି ଏୟାର ଇଣ୍ଡିଆ ।
ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଏୟାର ଇଣ୍ଡିଆ ଆସନ୍ତା ସପ୍ତାହରେ ଭାରତ ଏବଂ ୟୁକ୍ରେନ ମଧ୍ୟରେ ତିନୋଟି ବିମାନ ଚଳାଚଳ କରିବ ବୋଲି ଘୋଷଣା କରିଛି । ଫେବ୍ରୁଆରି ୨୨, ୨୪ ଏବଂ ୨୬ରେ ଏହି ବିମାନଗୁଡ଼ିକ ୟୁକ୍ରେନକୁ ପଠାଯିବ ବୋଲି ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବିମାନଗୁଡ଼ିକ ପାଇଁ ବୁକିଂ ଆରମ୍ଭ ହୋଇସାରିଥିବା ଜଣାପଡିଛି ।
ବର୍ତ୍ତମାନ ଋଷ ଓ ୟୁକ୍ରେନ୍ ମଧ୍ୟରେ ଲାଗିରହିଥିବା ବିବାଦ ଏବେ ପୁରା ବିଶ୍ୱର ଚିନ୍ତା ବଢାଇଛି । ଯଦି ପ୍ରକୃତ ଋଷ ୟୁକ୍ରେନ୍ ଉପରେ ଆକ୍ରମଣ କରେ କିମ୍ବା ଯୁଦ୍ଧ ସ୍ଥିତି ଦେଖାଦିଏ ତେବେ ଏହା ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ସବୁଠାରୁ ବଡ଼ ସାମରିକ ଯୁଦ୍ଧ ହେବ ବୋଲି ଏବେ ଠାରୁ ବିଶେଷଜ୍ଞମାନେ ଆକଳନ କରିଛନ୍ତି ।