କେନ୍ଦ୍ରର ସମସ୍ତ ଯୋଜନାରେ ନବୀନ ବାବୁ ସହଯୋଗ କରିବାକୁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର,ଏନ୍ଏନ୍ଏସ୍: କୃଷକଙ୍କ ପାଇଁ ଅଣାଯାଇଥିବା ବିଲକୁ ଆଜି ସାରା ଭାରତବର୍ଷରେ ବିରୋଧ କରାଯାଉଛି। ହେଲେ ଏହି ବିଲକୁ କୌଣସି ପ୍ରକାର ପ୍ରତ୍ୟାହାର କରାଯିବ ନାହିଁ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ସ୍ପଷ୍ଟକରିଛନ୍ତି। ସ୍ୱାଧୀନତାର ୭୪ବର୍ଷ ପରେ କେନ୍ଦ୍ରରେ ବିଜେପି ସରକାର କୃଷକମାନଙ୍କୁ ସ୍ୱାଧୀନତା ପ୍ରଦାନପାଇଁ ଏହି ବିଲ ଆଣିଛନ୍ତି। ପୂର୍ବରୁ କେନ୍ଦ୍ରରେ ଶାସନ କରୁଥିବା କଂଗ୍ରେସ କୃଷକମାନଙ୍କ ପାଇଁ ଏଭଳି ବିଲ ଆଣିପାରି ନାହାନ୍ତି। କେନ୍ଦ୍ରରେ ଏକ ମଜବୁତ ସରକାର ଥିବାରୁ କୃଷକମାନଙ୍କ ପାଇଁ ଏପରି ବିଲ ଆଣିବାରେ ସକ୍ଷମ ହୋଇଛନ୍ତି। ଯାହାଫଳରେ ଚାଷୀମାନେ ସ୍ୱାଧୀନତା ପାଇବା ସହ ଦଲାଲ ମୁକ୍ତ ହୋଇପାରିବେ ବୋଲି ବିଜେପି ପକ୍ଷରୁ କୁରୁଡାହାଟ ପଡ଼ିଆଠାରେ ୫ଟି ସାଙ୍ଗଠନିକ ଜିଲ୍ଲାକୁ ନେଇ ଅନୁଷ୍ଠିତ ବିଶାଳ କୃଷକ ସମାବେଶରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି।

ସେ କହିଛନ୍ତି ଯେ ବିଜେପି ସରକାର ହେଉଛି ଚାଷୀମୂଲିଆଙ୍କ ସରକାର। ୨୦୧୩-୧୪ ଆର୍ଥିକ ବର୍ଷରେ କଂଗ୍ରେସ ସରକାର ଓଡ଼ିଶାରୁ ୨.୮ମିଲିୟନ ମେଟ୍ରିକ ଟନର ଖାଦ୍ୟଶସ୍ୟ କ୍ରୟ କରିଥିବା ବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ମୋଦୀ ସରକାର ଓଡ଼ିଶାରୁ ୭.୦୫ମିଲିୟନ ମେଟ୍ରିକ ଟନ ଖାଦ୍ୟଶସ୍ୟ କ୍ରୟ କରିବାର ରେକର୍ଡ କରିଛନ୍ତି। ୨୦୧୪ରେ ଧାନର ଏମଏସପି ମୂଲ୍ୟ ୧୩୧୦ଟଙ୍କା ଥିବା ବେଳେ ୨୦୧୯-୨୦ରେ ୧୮୧୫ଟଙ୍କା ଏବଂ ଚଳିତ ବର୍ଷ ଏମଏସପି ୧୮୬୭ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ୬ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ମୋଟ୍ ୬୦ହଜାର ୮୩୬.୯୭କୋଟି ଟଙ୍କା ପ୍ରଦାନ କରାଯାଇଛି । କେନ୍ଦ୍ରରେ କଂଗ୍ରେସ ସରକାର ଥିବା ସମୟରେ କୃଷକମାନଙ୍କ ଉପରେ ସେମାନେ ଜୁଲୁମ କରିଛନ୍ତି। ଏପରିକି ଚାଷୀମାନଙ୍କର ସ୍ୱାଧୀନତାକୁ ଅଣଦେଖା କରିଛନ୍ତି। ଏବେ କିନ୍ତୁ କେନ୍ଦ୍ର ସରକାର ଘରେ ଘରେ କୃଷକମାନଙ୍କ ଦୁଃଖ ବୁଝିବେ। ୧୯୬୩ମସିହାରେ କେନ୍ଦ୍ରରେ ଥିବା ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ ଯେ ଚାଷୀମାନଙ୍କୁ ଅବହେଳା କରାଯାଇଛି। ସେତେବେଳେ ଚାଷୀଙ୍କୁ ଯେଉଁ ଏମଏସପି ମିଳୁଥିଲା ଏବେ ତାହା ୭୪ପ୍ରତିଶତ ଅଧିକ। ଅନ୍ୟପଟେ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରି ପ୍ରତାପ କହିଛନ୍ତି ଯେ ସବୁ ଚାଷୀଙ୍କ ଧାନ କିଣିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ତାହା କୁଆଡ଼େ ଗଲା। ଏହାଛଡ଼ା ଧାନ କିଣାପାଇଁ କାହିଁକି ସରକାର ଅବହେଳା କରୁଛନ୍ତି। କାହିଁକି ମଣ୍ଡିରେ ଧାନ ପଡ଼ିରହୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାହିଁକି ଓଡ଼ିଶା ସରକାର ପାତର ଅନ୍ତର କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଆୟୂଷମାନ ଭାରତ ଯୋଜନାରେ ଓଡ଼ିଶା ସରକାର କାହିଁକି ଯୋଡ଼ି ହେଉନାହାନ୍ତି। ଏହି ଯୋଜନା ମାଧ୍ୟମରେ କ୍ୟାନସର ରୋଗୀଙ୍କ ଠାରୁ ଆରମ୍ଭ କରି ଅନ୍ୟକେ ବଡ଼ ବଡ଼ ରୋଗୀମାନେ ଲାଭ ପାଇପାରନ୍ତେ।

ଏପରିକି ସେମାନେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପାଇପାରନ୍ତେ। ହେଲେ ଏହି ଯୋଜନାରେ ଓଡ଼ିଶାର ରୋଗୀମାନେ ଯୋଡି ହେଲେ ନବୀନ ବାବୁ ଆପଣଙ୍କର କ’ଣ ଅସୁବିଧା ହେବ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ନବୀନ ବାବୁ ଆପଣ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। ଏଣୁ କାହିଁକି ଏଥିରେ ସହଯୋଗ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାର ଓଡ଼ିଶାକୁ ରେଳକ୍ଷେତ୍ରରେ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଅର୍ଥ ପ୍ରଦାନ କରୁଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାରେ ବହୁ ହେରଫେର କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦୁଇ ବର୍ଷ ଶାସନ ପରେ ସେ ଲୋକମାନଙ୍କୁ ହିସାବ ଦେଇଥିଲେ ହେଲେ ନବୀନବାବୁ ୨୦ବର୍ଷ ଶାସନ କରିବା ପରେ ମଧ୍ୟ ଥରଟିଏ ବି ଲୋକମାନଙ୍କୁ ହିସାବ ଦେଇ ନାହନ୍ତି। ମୁଣ୍ଡଝାଳ ତୁଣ୍ଡରେ ମାରି ଚାଷୀ ଅମଳ କରୁଛନ୍ତି। ହେଲେ ସେମାନଙ୍କୁ ଉଚିତ ନ୍ୟାୟ ମିଳିପାରୁ ନାହିଁ। ଏଣୁ ସମୟ ଆସିଛି ସମସ୍ତ ଚାଷୀମାନେ ଏକଜୁଟ ହୋଇ ରାଜ୍ୟ ସରକାରଙ୍କୁ ଏହାର ଜବାବ ମାଗିବାକୁ ସେ ଆହ୍ୱାନ ଦେଇଛନ୍ତି। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଯେଉଁ ଯୋଜନାମାନ କରୁଛନ୍ତି ତାହାକୁ ନବୀନ ବାବୁ ସହଯୋଗ କରନ୍ତୁ ବୋଲି ନିବେଦନ କରିଛନ୍ତି ପ୍ରତାପ।

ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟସ୍ତରୀୟ କୃଷକମୋର୍ଚ୍ଚାର ସମ୍ପାଦକ ଡ.ଶମ୍ଭୁକୁମାର, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ, ରାଜ୍ୟ କୃଷକମୋର୍ଚ୍ଚାର ସଭାପତି ପ୍ରଦୀପ ପୁରୋହିତ,ବିଧାନସଭା ବିରୋଧୀଦଳ ଉପ ନେତା ବିଷ୍ଣୁଚରଣ ସେଠୀ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ରାଜ୍ୟ ମୁଖ୍ୟପାତ୍ର ରଣଜିତ ଠାକୁରଙ୍କ ସମେତ ବାଲେଶ୍ୱର,ଭଦ୍ରକ,ମୟୂରଭଞ୍ଜ,କେନ୍ଦୁଝର ଏବଂ ଯାଜପୁର ଜିଲ୍ଲାର ବହୁ କର୍ମୀ ଓ ନେତା ଉପସ୍ଥିତ ଥିଲେ। ପର୍ଶୁରାମ ପରିଡ଼ା ଧନ୍ୟବାଦ ଦେଇଥିଲେ।