କୋଟିପତି କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଅନୁଗୁଳ, ଆଠମଲ୍ଲିକ,ଏନ୍ଏନ୍ଏସ୍: ଅନୁଗୁଳ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ (ଆରଡବ୍ଲୁଏସଏସ) ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କ୍ୟାସିୟର ରୋହିତାସ୍ୱ ବାଘଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ଉ କରାଯାଇଛି। କଟକ ଭିଜିଲାନ୍ସ ଏସପି ଶଶିଭୂଷଣ ମହାପାତ୍ରଙ୍କ ନିର୍ଦ୍ଦେଶରେ ଡିଏସପି ସୁରେନ୍ଦ୍ର ରାୟଗୁରୁଙ୍କ ନେତୃତ୍ୱରେ ୭ଟି ଟିମ୍ ସକାଳ ୬ଟାରୁ ରୋହିତାସ୍ୱଙ୍କ ଅନୁଗୁଳ ସରକାରୀ ବାସଭବନ, କାର୍ଯ୍ୟାଳୟ, ଆଠମଲ୍ଲିକ ବରଗାଁର ନିଜସ୍ୱ ଘର, ବୌଦ୍ଧ ଶ୍ୱଶୁର ଘର ଓ ଆଠମଲ୍ଲିକ ଘରେ ଚଢ଼ଉ କରାଯାଇଛି।

ଆଠମଲ୍ଲିକ ହରିଡ଼ାନାଳିରେ ଥିବା ୩ ମହଲା ଘରର ମୂଲ୍ୟ ପ୍ରାୟ ୫୬ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି। ସେହିଭଳି ଆଠମଲ୍ଲିକରେ ଥିବା ପାଣି ପାଉଚ କାରଖାନାର ମେସିନ ମୂଲ୍ୟ ୩ ଲକ୍ଷ ଟଙ୍କା, ଆଠମଲ୍ଲିକର ଟାଙ୍ଗିଆ ନିଶାରେ ଥିବା କୁକୁଡ଼ା ଫାର୍ମର ମୂଲ୍ୟ ୫ ଲକ୍ଷ ଟଙ୍କା, ବୌଦ୍ଧ ଜିଲ୍ଳା ସଦର ମହକୁମାରେ ଥିବା ପାଣି ପାଉଚ କାରରଖାନା ଘରର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ଓ ମେସିନର ମୂଲ୍ୟ ୩ ଲକ୍ଷ ଟଙ୍କା, ଭୁବନେଶ୍ୱର ଓ ଆଠମଲ୍ଲିକ ଜମିର ମୂଲ୍ୟ ପ୍ରାୟ ୩୭ ଲକ୍ଷ ଟଙ୍କା, ୬୬ ଗ୍ରାମ ସୁନା ଗହଣା, ବ୍ୟାଙ୍କ ଜମା ଦେଢ଼ ଲକ୍ଷ ଟଙ୍କା ଥିବା ସୂଚନା ମିଳିଛି। ତାଙ୍କଠାରୁ ନଗଦ ୭ ହଜାର ଟଙ୍କା ଜବତ ହୋଇଛି।