ଅସୁରେଶ୍ୱର,ଏନ୍ଏନ୍ଏସ୍: ଆଜି ଅସୁରେଶ୍ୱର ଅଞ୍ଚଳକୁ ଗସ୍ତ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ଏହି ଅବସରରେ ବିଭିନ୍ନ ସ୍ଥାନରେ ଚାଲିଥିବା ନିର୍ମାଣାଧୀନ ପ୍ରକଳ୍ପଗୁଡିକୁ ବୁଲି ଦେଖିଥିଲେ। ଏଥିସହ ପଞ୍ଚାୟତ ନିର୍ବାଚନ ପୂର୍ବରୁ କିଭଳି କାର୍ଯ୍ୟ ଶେଷ ହେବ ସେ ନେଇ ଗୁରୁତ୍ୱାରୋପ କରିଥିଲେ। ଏହି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନିମନ୍ତେ ଦୃଷ୍ଟି ଦେବା ପାଇଁ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ସାହୁ ଓ କନିଷ୍ଠ ଯନ୍ତ୍ରୀ ମାନସ ମହାପାତ୍ରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ମନ୍ତ୍ରୀ ଶ୍ରୀ ଜେନା ପ୍ରଥମେ କଟିକଟା ବଜାର ହନୁମାନଛକ ଠାରେ ଏକ ୩୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଶ୍ରୀ ହନୁମାନଜୀଉଙ୍କ ବିଗ୍ରହ ପ୍ରତିଷ୍ଠା ପାଇଁ ଭିତ୍ତିଭୂମିକୁ ପ୍ରଦର୍ଶନ କରିଥିଲେ। ଅସୁରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟକୁ ୫ଟି ଯୋଜନାରେ ସମ୍ପୃକ୍ତି କରାଯାଇଥିବାରୁ ଏହାର ଭିତ୍ତିଭୂମି ପରଖି ଥିବା ବେଳେ ମୋ ଟ୍ରି ଯୋଜନାରେ ସ୍କୁଲ ପରିସରରେ ଗୁଆ ଗଛ ଲଗାଇଥିଲେ।
ଏହା ପରେ ଦଧିବାମନଜୀଉ ମନ୍ଦିରକୁ ଯାଇ ଟ୍ରଷ୍ଟ ବୋର୍ଡ ଦାୟିତ୍ୱରେ ଥିବା ତହସିଲଦାର ଉମାକାନ୍ତ ବିଶ୍ୱାଳ ଏବଂ ଶ୍ରୀଜୀଉ ସେବାୟତମାନଙ୍କ ସହିତ ମନ୍ଦିରର ଉନ୍ନତୀକରଣ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଅସୁରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି କୋଭିଡ୍ ସମୟରେ କିଭଳି ସ୍ୱାସ୍ଥ୍ୟସେବା ଦିଆଯାଉଛି ସେ ସଂକ୍ରାନ୍ତରେ ଡାକ୍ତର ଅମିତ କୁମାର ଜେନାଙ୍କୁ ପଚାରିବା ସହିତ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଉନ୍ନତ ରୋଗୀ ସେବା ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଥିଲେ। ମନ୍ତ୍ରୀଙ୍କ ସହିତ ବ୍ଲକ ବିଜେଡି ଉପସଭାପତି ଅଶୋକ କୁମାର ଓଝା, ପ୍ରାକ୍ତନ ଅଧ୍ୟକ୍ଷ ଗିରୀଶ ମହାପାତ୍ର, କଟିକଟା ବଜାର କମିଟି ସଭାପତି ସଞ୍ଜୟ ବାରିକ, ସାମ୍ବାଦିକ ମନୋରଞ୍ଜନ ଭୂୟାଁ, ସନ୍ତୋଷ ସିହ୍ନା, ଜୟନ୍ତ ସାହୁ, ମନୋରଞ୍ଜନ ସିଂ, ଅଜୟ ବାରିକ, ଦେବବ୍ରତ ସାହୁ, ଲକ୍ଷ୍ମୀଧର ସାହୁ, ସନାତନ ସିଂ, ଅରୁଣ କୁମାର ସିଂ, ପ୍ରଫୁଲ୍ଲ ପଣ୍ଡା, ରଘୁନାଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ।