ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆଦିବାସୀ ପ୍ରଗତି ସମାଜର ଦାବିପତ୍ର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆଦିବାସୀ ପ୍ରଗତି ସମାଜ ଝାରସୁଗୁଡ଼ା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ର୍ରପତିଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାର ସଦସ୍ରାଧିକ ଆଦିବାସୀମାନେ ଆଜି ଏକ ରାଲି କରିବା ସହ ଜାତୀୟ ଅନୁସୂଚିତ ଜନଜାତି ଆୟୋଗକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାନଯାଉ ବୋଲି କହିଛନ୍ତି। ଅନୁସୂଚିତ ଜନଜାତିର ସାମଗ୍ରିକ ବିକାଶ ପାଇଁ ଉନ୍ନୟନମୂଳକ ପଦକ୍ଷେପ ଓ ବିକାଶ ପାଇଁ ଅନୁସୂଚିତ ଜନଜାତି କମିଶନ ଗଠନ କରାଯାଇଛି। ହେଲେ ଗତ ୩ ତାରିଖ ଏସଟି କମିଶନର ସଦସ୍ୟ ଝାରସୁଗୁଡ଼ା ଗସ୍ତ କରିଥିବାବେଳେ କମିଶନର ଅନ୍ୟ ପଦସ୍ଥ ଅଧିକାରୀମାନେ ମଧ୍ୟ ତାଙ୍କ ସାଙ୍ଗରେ ଥିଲେ। ଏହି ଗସ୍ତରେ କମିଶନ ଆଦିବାସୀ ଲୋକଙ୍କ ଶିକ୍ଷା, ଅର୍ଥନୀତି ତଥା ଜୀବନ ଜୀବିକାର ପନ୍ଥା ଓ ଅନ୍ୟାନ୍ୟ ବିଷୟ ପ୍ରତି ଧ୍ୟାନଦେବେ ବୋଲି ଆଶା କରାଯାଇଥିଲା। ହେଲେ ଏସଟି କମିଶନର ସଦସ୍ୟ ଏକ ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ସୁହାଇଲା ଭଲି ଗସ୍ତରେ ଆସିଥିଲେ। ଅନ୍ୟପଟେ ଝାରସୁଗୁଡ଼ା ଜିଲ୍ଲାର ବ୍ଲକ ଅବା ପଂଚାୟତସ୍ତରରେ ଥିବା ଆଦିବାସୀ ଲୋକଙ୍କ ସମସ୍ୟା ଉପସ୍ଥାପନ କରିବା ପାଇଁ ଅନୁସୂଚିତ ଜନଜାତିର ଲୋକଙ୍କୁ ନିମନ୍ତ୍ରିତ କରାଯାଇ ନଥିଲା। ତେଣୁ ଅନୁସୂଚିତ ଜନଜାତିର ଉନ୍ନତି ତଥା ବିକାଶ ପାଇଁ ଗଠନ କରାଯାଇଥିବା ଏସଟି କମିଶନ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର ନହୋଇ ଆଦିବାସୀଙ୍କ ଉନ୍ନତି ଓ ବିକାଶ ଦିଗରେ କାର୍ଯ୍ୟ କରୁ ବୋଲି ଆଦିବାସୀ ପ୍ରଗତି ସମାଜ ଝାରସୁଗୁଡ଼ା ପକ୍ଷରୁ ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆଦିବାସୀ ପ୍ରଗତି ସମାଜ ଝାରସୁଗୁଡ଼ାର ସଭାପତି ନବୀନ ନାଏକ, ଟଙ୍କଧର ନାଏକ, ଜଗନ୍ନାଥ ଭୋଇ, ତପେ ମରେଇ, ଯୋଗେନ୍ଦ୍ର ନାଏକ, ଋତୁସାଗର ନାଏକ ଓ ଦୟାନିଧି ନାଏକ ପ୍ରମୁଖଙ୍କ ସହ ଜିଲ୍ଲାର ସହସ୍ରାଧିକ ଆଦିବାସୀମାନେ ଉପସ୍ଥିତ ଥିଲେ।