୮ ଦେଶର ଏନଏସଏଙ୍କ ଆଲୋଚନା ପରେ ଜାରି ହେଲା ‘ଦିଲ୍ଲୀ ଘୋଷଣା ପତ୍ର’

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ନେଇ ଦିଲ୍ଲୀରେ ୮ଟି ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ)ଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଦିଲ୍ଲୀ ଘୋଷଣା ପତ୍ର ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଫଗାନିସ୍ତାନର ସୁରକ୍ଷା ସ୍ଥିତି, ବୈଶ୍ୱିକ ପ୍ରଭାବ, ଆତଙ୍କବାଦ, କଠୋରପନ୍ଥୀ ଓ ଡ୍ରଗ୍ସ ବ୍ୟାପାରକୁ ନେଇ ଆଲୋଚନା ହୋଇଥିଲା। ୮ ଦେଶର ଏନଏସଏ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସ୍ଥିର ଆଫଗାନିସ୍ତାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ଆଫଗାନିସ୍ତାନର ନିଜ ପ୍ରସଙ୍ଗରେ ହସ୍ପକ୍ଷେପ ନ କରିବାକୁ ଜୋର ଦିଆଯାଇଥିଲା। ସମସ୍ତ ଏନଏସଏ କୁନ୍ଦୁଜ, କନ୍ଧାର ଓ କାବୁଲ ଆତଙ୍କବାଦ ଆକ୍ରମଣକୁ ନିନ୍ଦା କରିବାକୁ ଯାଇ ଆଫଗାନିସ୍ତାନର ସୁରକ୍ଷା ସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ।

ସେହିପରି ଆଫଗାନିସ୍ତାନ ମାଟି ଯେପରି ଆତଙ୍କବାଦକୁ ସୁରକ୍ଷା, ଟ୍ରେନିଂ ଓ ଅର୍ଥ ଯୋଗାଣ ଲାଗି ବିନିଯୋଗ ନହୁଏ ସେଥିପ୍ରତି ଧ୍ୟାନ ଦେବା ଉପରେ ଜୋର ଦିଆଯାଇଥିଲା। ସମସ୍ତ ଆତଙ୍କବାଦୀ କାର୍ଯ୍ୟକଳାପକୁ କଡ଼ା ଶଦ୍ଦରେ ନିନ୍ଦା କରାଯାଇଥିଲା। ଏଥିସହିତ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଫଗାନିସ୍ତାନକୁ ସହାୟତା ପ୍ରଦାନ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିବା ଜଣାପଡ଼ିଛି।