ପୁରୀ ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ଲୀନ ହେଲେ ସଂଗୀତଜ୍ଞ ପ୍ରଫୁଲ୍ଲ କର, ମୁଖାଗ୍ନି ଦେଲେ ବଡ଼ପୁଅ ମହାଦୀପ କର

ପୁରୀ,ଏନ୍ଏନ୍ଏସ୍: ଯଶସ୍ବୀ ସଙ୍ଗୀତଜ୍ଞ, ଗୀତିକାର ତଥା ସଂଗୀତ ନିର୍ଦେଶକ ପ୍ରଫୁଲ୍ଲ କରଙ୍କ ପାର୍ଥୀବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ଭୁବନେଶ୍ବରରୁ ମରଶରୀର ଆସି ପୁର‌ୀରେ ପହଞ୍ଚିବା ପରେ ବଡ଼ଦାଣ୍ଡ ଦେଇ ତାଙ୍କର ମରଶରୀରକୁ ଶୋଭାଯାତ୍ରାରେ ସ୍ବର୍ଗଦ୍ବାର ନିଆଯାଇଥିଲା। ସୋମବାର ଅପରାହ୍‌ଣ ପ୍ରାୟ ୪ଟା ୫୦ ସମୟରେ ସେଠାରେ ପ୍ରଫୁଲ୍ଲ କରଙ୍କ ଅନ୍ତିମ ସଂସ୍କାର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ସଂପନ୍ନ ହୋଇଛି। ବଡ଼ପୁଅ ମହାଦୀପ କର ମୁଖାଗ୍ନି ଦେଇଛନ୍ତି।

ଅନ୍ତିମ ସଂସ୍କାର ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ମନ୍ତ୍ରୀ ପ୍ରତାପ ଜେନା ଓ ସମୀର ଦାଶ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ସମେତ ସ୍ବଗତଃ କରଙ୍କ ସାନପୁଅ ମହାପ୍ରସାଦ କର, ଝିଅ ସନ୍ଧ୍ୟାରାଣୀ, ୨ ବୋହୂ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡ. କେ.ବିଶାଳ ସିଂହ, ଉପଜିଲ୍ଲାପାଳ ଭବତରଣ ସାହୁ, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।