ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଥିବା ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ନିହାର ରଞ୍ଜନ ପ୍ରଧାନଙ୍କର ସୋମବାର ଅକାଳ ବିୟୋଗ ଘଟିଛି। ପୈତୃକ ଗାଁକୁ ସେ ଛୁଟି କଟାଇବାକୁ ଆସିଥିବା ବେଳେ ଗାଁ ପୋଖରୀରେ ଗାଧୋଉଥିବା ଅବସ୍ଥାରେ ବୁଡ଼ିଯାଇ ସେ ଜୀବନ ହାରିଛନ୍ତି। ୨୭ ବର୍ଷୀୟ ନିହାର ଶନିବାର ନିଜ ଗାଁ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଝାରପାଲି ଆସିଥିଲେ।
ଆଜି ସେ ଦୁଇ ଛୋଟପିଲାଙ୍କ ସହ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ହଠାତ୍ ତାଙ୍କର ଗୋଡ଼ ଖସିଯାଇଥିବାରୁ ସେ ପୋଖରୀରେ ବୁଡ଼ି ଯାଇଥିଲେ। ପିଲାଙ୍କ ଡାକ ଶୁଣି ଆଖପାଖ ଲୋକ ପୋଖରୀ ନିକଟରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବରଟି ଚାରିଆଡ଼କୁ ବ୍ୟାପିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ୨୦୨୦ରେ ଆଇଆଇଏସ୍ଏସ୍ଟିରୁ ସ୍ନାତକ ପାସ୍ କରିବା ପରେ ଗତବର୍ଷ ନିହାର ଇସ୍ରୋରେ କନିଷ୍ଠ ବୌଜ୍ଞାନିକ ଭାବେ ଯୋଗଦେଇଥିଲେ।