ଜେଲ୍‌ରେ କଏଦୀଙ୍କୁ ଏଣିକି ମିଳିବ ଅଧିକ ପୃଷ୍ଟିକର ଖାଦ୍ୟ, ବଢିଲା ଦୈନିକ ଖାଦ୍ୟ ବଜେଟ୍‌

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜେଲ୍‌ରେ ଏଣିକି କଏଦୀମାନଙ୍କୁ ପୂର୍ବ ତୁଳନାରେ ଅଧିକ ଭଲ ଖାଦ୍ୟ ମିଳିବ। କଏଦୀମାନଙ୍କୁ ସୁଷମ ଖାଦ୍ୟ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୃହ ବିଭାଗ ଉପସଚିବ ଅଶୋକ କୁମାର ବେଉରାଙ୍କ ଦ୍ୱାରା ଡିଜି (ଜେଲ୍‌) ଓ ଡିସିଏସ୍‌ଙ୍କୁ ଲେଖାଯାଇଥିବା ଚିଠି ଅନୁସାରେ କଏଦୀମାନଙ୍କର ଦୈନିକ ଖାଦ୍ୟ ବାବଦ ବ୍ୟୟ ୬୪ ଟଙ୍କାରୁ ୮୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ସୂଚନାଯୋଗ୍ୟ, ଜେଲରେ କଏଦୀମାନଙ୍କୁ ସୁଷମ ଖାଦ୍ୟ ଦେବାପାଇଁ ୨୦୨୧ ମସିହା ନଭେମ୍ବର ୧୧ ତାରିଖରେ ଡିଜି (ଜେଲ୍‌) ପକ୍ଷରୁ ପ୍ରସ୍ତାବନା କରାଯାଇଥିଲା। ଏହି ଚିଠି ଆଧାରରେ ସରକାର ଏବେ କଏଦୀମାନଙ୍କର ଦୈନିକ ଖାଦ୍ୟ ଖର୍ଚ୍ଚ ୬୪ ଟଙ୍କାରୁ ବଢ଼ାଇ ୮୦ ଟଙ୍କା କରିଛନ୍ତି। ରାଜ୍ୟ ସରକାର ଇଣ୍ଡିଆନ୍‌ କାଉନ୍‌ସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର) ଦ୍ୱାରା ପରିଚାଳିତ ତଥା ହାଇଦ୍ରାବାଦ୍‌ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ନ୍ୟୁଟ୍ରିସନ୍ (ଏନ୍‌ଆଇଏନ୍‌) ଅନୁଯାୟୀ କଏଦୀମାନଙ୍କୁ ଦୈନିକ ୨୮୧୬.୭୩ ପୃଷ୍ଟିକର ଖାଦ୍ୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି।