ଲୋକାୟୁକ୍ତଙ୍କ ବିରୋଧରେ ହାଇକୋର୍ଟ ଗଲେ ପ୍ରଦୀପ ପାଣିଗ୍ରାହୀ

  • ଭୁବନେଶ୍ୱର: ହାଇକୋର୍ଟ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଲୋକାୟୁକ୍ତଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଲୋକାୟୁକ୍ତ ଜଷ୍ଟିସ ଅଜିତ ସିଂ ଓ ସଚିବ ମାନସ ତ୍ରିପାଠୀଙ୍କ ବିରୋଧରେ ମାମଲା ଦାୟର ହୋଇଛି। ହାଇକୋର୍ଟ ନିର୍ଦ୍ଦେଶନାମାର ଜାଲ୍ କପି ବଳରେ ସୁପ୍ରିମକୋର୍ଟ ଯାଇଥିବା ଅଭିଯୋଗ ହୋଇଛି। ଏହାସହ ଲୋକାୟୁକ୍ତଙ୍କୁ କାର୍ଯ୍ୟକଳାପରୁ ବିରତ ରଖିବାକୁ ପ୍ରଦୀପ ଆବେଦନ ମଧ୍ୟ କରିଛନ୍ତି। ତେବେ ଏନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ଆବେଦନରେ ଦର୍ଶାଇଛନ୍ତି ଯେ, ତାଙ୍କ ବିରୋଧରେ ଲୋକାୟୁକ୍ତ କରିଥିବା ମାମଲାକୁ ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ତାଙ୍କ ସପକ୍ଷରେ ରାୟ ଦେବା ସହ ଭିଜିଲାନ୍ସ ପରିବର୍ତ୍ତେ ନିଜ ଏଜେନ୍ସି ଦ୍ୱାରା ଲୋକାୟୁକ୍ତ ଏହାର ତଦନ୍ତ କରିପାରିବେ ବୋଲି ରାୟରେ ସ୍ପଷ୍ଟ କରିଥିଲେ। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଏସଏଲପି (ସ୍ପେଶାଲ ଲିଭ୍ ପିଟିସିନ) ଜରିଆରେ ସୁପ୍ରିମକୋର୍ଟ ଯାଇଥିଲେ ଲୋକାୟୁକ୍ତ।
    ପ୍ରାରମ୍ଭିକ ଶୁଣାଣିରେ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଦେବା ସହ ପ୍ରଦୀପ ପାଣିଗ୍ରାହୀଙ୍କୁ ନୋଟିସ ଜାରି କରିଥିଲେ ସୁପ୍ରିମକୋର୍ଟ। ନୋଟିସ ପାଇବା ପରେ ଲୋକାୟୁକ୍ତ ଏସଏଲପିରେ ଦାଖଲ କରିଥିବା ହାଇକୋର୍ଟ ଅର୍ଡର କପି ନକଲି ବୋଲି ପ୍ରଦୀପ ଜାଣିବାକୁ ପାଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶାନାମା ଦୁଇ ପୃଷ୍ଠା ବିଶିଷ୍ଟ ହୋଇଥିବାବେଳେ ଏସଏଲପିରେ ଦାଖଲ ହୋଇଥିଲା ୬ ପୃଷ୍ଠା ବିଶିଷ୍ଟ ନିର୍ଦ୍ଦେଶାନାମା।
    ଲୋକାୟୁକ୍ତ ଭଳି ସଂସ୍ଥା ଏଭଳି ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହିବା ରାଜ୍ୟର ଆଇନ ବ୍ୟବସ୍ଥା ପ୍ରତି ଉପହାସ ବୋଲି ପିତାମ୍ୱର କହିଛନ୍ତି। ତେଣୁ ନକଲି ନିର୍ଦ୍ଦେଶାନାମା ଦାଖଲ କରିବା ଅଭିଯୋଗରେ ଲୋକାୟୁକ୍ତ ଓ ତାଙ୍କ ସଚିବଙ୍କ ବିରୋଧରେ ଫୌଜଦାରୀ ଅଦାଲତ ଅବମାନନା ମାମଲା ରୁଜୁ ସହ କାର୍ଯ୍ୟରୁ ଅନ୍ତର କରିବା ପାଇଁ ହାଇକୋର୍ଟରେ ଆବେଦନ କରାଯାଇଛି। ଲୋକାୟୁକ୍ତଙ୍କ ଏହି କାର୍ଯ୍ୟକଳାପ ଦ୍ୱାରା ଉଭୟ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଅବମାନନା ହୋଇଥିବାରୁ ଆଗାମୀ ଦିନରେ ପ୍ରଦୀପ ପାଣିଗ୍ରାହୀ ସୁପ୍ରିମକୋର୍ଟ ଯାଇପାରନ୍ତି ବୋଲି କହିଛନ୍ତି ତାଙ୍କ ଓକିଲ ପିତାମ୍ୱର ଆଚାର୍ଯ୍ୟ।
    ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୁନ୍ ୧୨ରେ ଜାମିନ ଦିଆଯାଇଥିଲା। ଗୋଳନ୍ଥରା ଥାନା ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ନିମ୍ନ କୋର୍ଟରେ ୨ ଲକ୍ଷ ଟଙ୍କା ଜମା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ୨ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ପ୍ରଦୀପଙ୍କୁ ଜାମିନ ପ୍ରଦାନ କରିଥିଲେ। ପ୍ରଦୀପଙ୍କ ବିରୋଧରେ ମୋଟ୍ ୬ଟି ମାମଲା ଥିବାବେଳେ ପୂର୍ବରୁ ୫ଟିରେ ତାଙ୍କୁ ଜାମିନ ମିଳି ସାରିଥିଲା।