ସବୁ ଜିଲ୍ଲାରେ ଖୋଲିବ ଆରଟି-ପିସିଆର ଟେଷ୍ଟିଂ ଲ୍ୟାବ

  • ଭୁବନେଶ୍ୱର: ସମ୍ଭାବ୍ୟ କୋଭିଡର ତୃତୀୟ ଲହର ଉପରେ ସ୍ୱାସ୍ଥ୍ୟ ବିଭାଗ ତୀକ୍ଷ୍ଣ ନଜର ରଖିଛି ସେପଟେ ପ୍ରତି ଜିଲ୍ଲାରୁ ୧୦ ପ୍ରତିଶତ ପଜିଟିଭ ନମୁନାର ଜିନମ୍ ସିକ୍ୱେନ୍ସିଂ କରିବା ପାଇଁ ଆଇଏଲ୍ଏସକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଥିପାଇଁ ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଆରଟିପିସିଆର ଟେଷ୍ଟିଂ ଲ୍ୟାବ ଖୋଲିବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର। ବର୍ତ୍ତମାନ ୧୪ଟି ଜିଲ୍ଲାରେ ଆରପିଟିସିଆର ଟେଷ୍ଟିଂ ଲ୍ୟାବ ରହିଛି। ଆଉ ୧୬ ଜିଲ୍ଲାରେ ଲ୍ୟାବ ସ୍ଥାପନ ପାଇଁ ଟେଣ୍ଡର ଦିଆସରିଛି। ବିଏସ୍ଏଲ-୨ ଲ୍ୟାବ୍ ସ୍ଥାପନ କରାଯାଇ ଉପକରଣ ଓ ଯନ୍ତ୍ରାଂଶ ଇନଷ୍ଟାଲେସନ ଚାଲିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି।
    ସେପଟେ କରୋନା ଟିକାର ଅଭାବ ଦୂର କରିବା ପାଇଁ ଖୁବଶୀଘ୍ର ଆସିପାରେ କକଟେଲ୍ ଡୋଜ। ଅର୍ଥାତ ଜଣେ ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ ବ୍ରାଣ୍ଡର ଦୁଇ ଡୋଜର ଟିକା ଦିଆଯାଇପାରିବ। ଉତ୍ତର ପ୍ରଦେଶରେ ୧୮ ଜଣଙ୍କୁ ଭୁଲବଶତଃ ଭିନ୍ନ ଭିନ୍ନ ଦୁଇଟି କମ୍ପାନୀର ଟିକା ଦିଆଯାଇଥିବାବେଳେ ଏହା ଉପରେ ଆଇସିଏମଆର କରିଥିବା ପରୀକ୍ଷଣରୁ ଉତ୍ସାହଜନକ ଫଳ ଆସିଥିଲା। ଏବେ ମିକ୍ସ ଆଣ୍ଡ ମ୍ୟାଚ କ୍ଲିନିକାଲ ଟ୍ରାଏଲ ଲାଗି ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଏ)। ସେଥିପାଇଁ ୩୦୦ ସ୍ୱେଚ୍ଛାସେବୀଙ୍କୁ ନେଇ ଫେଜ-୪ କ୍ଲିନିକାଲ ଟ୍ରାଏଲ କରିବ ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ।
    ଏସମ୍ପର୍କରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ, ଟିକାର ମିକ୍ସ ଆଣ୍ଡ ମ୍ୟାଚ ପଦ୍ଧତି ବିଶ୍ୱରେ ନୂଆ ନୁହେଁ। ହେଲେ କମ୍ୟୁନିଟି ମେଡିସିନ ବିଶେଷଜ୍ଞଙ୍କ ମତ, ମିକ୍ସଡ ଟିକା କେତେ ନିରାପଦ, ଏହାର ପାର୍ଶ୍ୱ ପ୍ରତିକ୍ରିୟା ରହୁଛି ନା ନାହିଁ, ତାହା ସୁନିଶ୍ଚିତ କରାଯିବା ଉଚିତ। ତେବେ ଏହି ପରୀକ୍ଷଣ ସଫଳ ହେଲେ ଭାରତରେ ଟିକା ଅଭାବ ସମସ୍ୟା ଦୂର ହେବ। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ସୁଦ୍ଧା ମୃତ୍ୟୁରେ ବ୍ରେକ ଲାଗୁନି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୬୨୬ ଜଣ ଥିବାବେଳେ ଲୋକାଲ କେସ ୪୫୨ ରହିଛି। ଏହାବାଦ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି।
    ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୩୭୨ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୪୭, ଜଗତସିଂହପୁର ୫୮, ଯାଜପୁରରୁ ୫୮, କେନ୍ଦ୍ରାପଡ଼ାରୁ ୫୧, ପୁରୀରୁ ୪୮, ବାଲେଶ୍ୱରରୁ ୪୫, ମୟୂରଭଞ୍ଜରୁ ୩୫, ନୟାଗଡ଼ରୁ ୨୬, ଅନୁଗୋଳରୁ ୨୬, ବରଗଡ଼ରୁ ୬, ଭଦ୍ରକରୁ ୨୫, ବଲାଙ୍ଗିରରୁ ୪, ବୌଦ୍ଧରୁ ୧, ଦେବଗଡ଼ରୁ ୪, ଢେଙ୍କାନାଳରୁ ୧୬, ଗଜପତିରୁ ୨, ଗଂଜାମରୁ ୬, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୧, କନ୍ଧମାଳରୁ ୬, କେନ୍ଦୁଝରରୁ ୧୨, ମାଲକାନଗିରିରୁ ୫, ନବରଙ୍ଗପୁରରୁ ୧, ନୂଆପଡ଼ାରୁ ୫, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୨, ସୁବର୍ଣ୍ଣପୁରରୁ ୫, ସୁନ୍ଦରଗଡ଼ରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।