ଦିଲ୍ଲୀରେ ବଢ଼ିବ ଉପରାଜ୍ୟପାଳଙ୍କ କ୍ଷମତା

ନୂଆଦିଲ୍ଲୀ,ଏଜେନ୍ସି: ରାଜ୍ୟ ସଭାରେ ପାରିତ ହେଲା ନ୍ୟାସନାଲ କ୍ୟାପିଟାଲ ଅଫ୍ ଟେରିଟୋରି ଦିଲ୍ଲୀ ସଂଶୋଧନ ବିଲ୍। ଆମ୍ ଆଦମୀ ପାର୍ଟି, କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳର ସଦସ୍ୟଙ୍କ ବିରୋଧ ସତ୍ତ୍ୱେ ଏହି ବିଲ୍ ପାରିତ ହୋଇଛି। ବିଲକୁ ବିରୋଧ କରି କଂଗ୍ରେସ ସମେତ ଆମ ଆଦମୀ ପାର୍ଟି ଏବଂ ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ। ବିଲ୍ ପାସ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଏହା ଭାରତୀୟ ଗଣତନ୍ତ୍ର ପାଇଁ ଦୁଃଖଦ ଦିନ, କ୍ଷମତା ଫେରିପାଇବା ପାଇଁ ସଂଘର୍ଷ ଜାରି ରହିବ।

ପୂର୍ବରୁ ଲୋକସଭାରେ ଏହି ବିଲ୍ ପାରିତ ହୋଇସାରିଥିଲା। ଏବେ ରାଜ୍ୟସଭାରେ ବିଲ୍ ପାସ ହେବାପରେ ଏହା ରାଷ୍ଟ୍ରପତିଙ୍କ ନିକଟକୁ ମଞ୍ଜୁରି ପାଇଁ ଯିବ। ଏହି ବିଲ୍ ଅନୁଯାୟୀ ଦିଲ୍ଲୀରେ ନିର୍ବାଚିତ ସରକାର ଅପେକ୍ଷା ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ମିଳିବ। ଏହା ଲାଗୁ ହେବାପରେ ଦିଲ୍ଲୀ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ପୂର୍ବରୁ କିମ୍ବା କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଉପରାଜ୍ୟପାଳଙ୍କ ମତାମତ ଲୋଡିବେ।

ବିଧାନସଭାରେ ପାରିତ ସମସ୍ତ ବିଲକୁ ଉପରାଜ୍ୟପାଳଙ୍କ ମଞ୍ଜୁରି ନେବାକୁ ପଡ଼ିବ। ବିଲରେ ଏହା ମଧ୍ୟ ପ୍ରସ୍ତାବ ରଖାଯାଇଛି ଯେ, ଦିଲ୍ଲୀ ସହର ସହ ଜଡ଼ିତ କୌଣସି ବି ନିର୍ଣ୍ଣୟ ନେବା ପୂର୍ବରୁ ଉପରାଜ୍ୟପାଳଙ୍କ ମତାମତ ନେବାକୁ ପଡ଼ିବ। ସେହିପରି ଦିଲ୍ଲୀ ସରକାର ନିଜ ତରଫରୁ କୌଣସି ନିୟମ ପ୍ରସ୍ତୁତ କରିପାରିବେ ନାହିଁ।